କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଆଜି ଖୋଲିବ ବାଲଟ୍ ବକ୍ସରେ ସିଲ୍ ଥିବା ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ, ୨୫ରେ ଶପଥ ଗ୍ରହଣ
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ କିଏ ଆସନ ଅଳଙ୍କୃତ କରିବେ ସେ ନେଇ ଦେଶବ୍ୟାପୀ ଜୋର୍ଦାର୍ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଗତ ୧୮ ତାରିଖରେ ଏନେଇ ମତଦାନ କରାଯାଇଥିଲା । ସଂସଦ ସମେତ ଦେଶର ସବୁ ରାଜ୍ୟର ବିଧାନସଭାରେ ଏନେଇ ଭୋଟ୍ ଗ୍ରହଣ କରାଯାଇଥିଲା । ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପକ୍ଷରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ମେଣ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋୱନ୍ତ ସିହ୍ନା ପ୍ରାର୍ଥୀ ଅଛନ୍ତି । ତେବେ ଏହି ନିର୍ବାଚନରେ ଦ୍ରୌପଦୀ ଯଶୋୱନ୍ତଙ୍କୁ ବହୁ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।ପୂର୍ବରୁ ୧୪ତମ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ରାମନାଥକୋବିନ୍ଦଙ୍କୁ ୬୫%ରୁ ଅଧିକ ଭୋଟ୍ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମୀରା କୁମାରଙ୍କୁ ମାତ୍ର ୨୯% ଭୋଟ୍ ମିଳିଥିଲା ।
ଚଳିତ ନିର୍ବାଚନରେ ଦ୍ରୌପଦୀ ମଧ୍ୟ ଅନୁରୂପ ପରିମାଣ ଭୋଟ୍ ଠାରୁ ଅଧିକ ଭୋଟ୍ରେ ବିଜୟ ଲାଭ କରିବାର ଆଶା କରାଯାଉଛି । ଶ୍ରୀମତୀ ମୁର୍ମୁ ସାନ୍ତାଳ ଜନଜାତିର ଆଦିବାସୀ ହୋଇଥିବାରୁ ସେ ପ୍ରଥମ ଆଦିବାସୀ ଭାବେ ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଲାଭ କରିପାରନ୍ତି । ଏଥିନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି । ତାଙ୍କ ବିଜୟ ନେଇ ଲୋକେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଜାରି ରଖିଛନ୍ତି । ଏଥିନେଇ ଦେବାଳୟମାନଙ୍କରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶ୍ରୀମତୀ ମୁର୍ମୁଙ୍କ ବିପୁଳ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି । ଏପରିକିକେତେକ ନେତା ମଧ୍ୟ ତାଙ୍କୁ ଆଗୁଆ ଅଭିନନ୍ଦନ ଜଣାଇ ସାରିଛନ୍ତି ।
ଶ୍ରୀମତୀ ମୁର୍ମୁ ଓଡ଼ିଶାର ଅଧିବାସୀ ହୋଇଥିବା ବେଳେ ସେ ୫ ବର୍ଷ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାରଣରୁ ଓଡ଼ିଶା ଓ ଝାଡ଼ଖଣ୍ଡର ଲୋକେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ମଧ୍ୟ ବେଶ୍ ପ୍ରଶଂସନୀୟ । ତାଙ୍କ ସପକ୍ଷରେ ଯେପରି ବିଧାନସଭାର ସବୁ ସଦସ୍ୟଙ୍କ ଭୋଟ୍ ପଡ଼ିାରିବ ସେନେଇ ସେ କସରତ ମଧ୍ୟ ଜାରି ରଖିଥିଲେ । ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ ।
ଏଥିପୂର୍ବରୁ ୟୁପିଏ ସରକାର ସମୟରେ କଂଗ୍ରେସ ନେତ୍ରୀ ପ୍ରତିଭା ପାଟିଲ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ । ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇ ଭାରତୀୟ ମହିଳାମାନଙ୍କ ପାଇଁ ଗର୍ବ ଓ ଗୌରବର ପ୍ରତୀକ ସାଜିଥିଲେ । ସେହିପରି ଦ୍ରୌପଦୀ ଏବେ ଭାରତୀୟ ମହିଳା ବିଶେଷ କରି ଓଡ଼ିଶାର ମହିଳାଙ୍କ ପାଇଁ ଗର୍ବ ହୋଇଯାଇଛନ୍ତି । ତାଙ୍କ ସମୟରେ ଭାରତୀୟ ମହିଳାମାନେ ଅଧିକ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିବା ଆଶା କରାଯାଏ । ସେହିପରି ସେ ଆଦିବାସୀ ଜନଜାତିର ହୋଇଥିବାରୁ ଦେଶରେ ଥିବା ଆଦିବାସୀଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।