fbpx

ପାକିସ୍ତାନୀ ଝିଅ ପାଇଁ ଦେବଦୂତ ସାଜିଲେ ଭାରତର ଡାକ୍ତର, ମାଗଣାରେ କରାଇଲେ ବିରଳ ଅସ୍ତ୍ରୋପଚାର

ନୂଆଦିଲ୍ଳୀ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । କାରଣ ଡାକ୍ତରହିଁ ମନୁଷ୍ୟକୁ ମୃତ୍ୟୁମୁଖରୁ ନୂଆ ଜୀବନ ଦେଇଥାନ୍ତି । ଡାକ୍ତରଙ୍କ ପାଖରେ ସବୁ ରୋଗୀ ସମାନ, କେହି ରୋଗୀ ବଡ଼ ନୁହେଁ କି ଛୋଟ ନୁହେଁ, କେହି ଶତ୍ରୁ ନୁହେଁ କି’ କେହି ରୋଗୀ ମିତ୍ର ନୁହେଁ । ଡାକ୍ତର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରି ସୁସ୍ଥ କରିଥାନ୍ତି । ଏହିଭଳି ଜଣେ ଡାକ୍ତରଙ୍କୁ ନେଇ ଚର୍ଚ୍ଚା ହେଉଛି ।

ସେ ହେଉଛନ୍ତି ଡା.ରାଜଗୋପାଲନ୍ କ୍ରିଷ୍ଣନ୍ । ଡା. କ୍ରିଷ୍ଣନ୍ ପାକିସ୍ତାନର ଜଣେ ୧୩ ବର୍ଷୀୟ ଝିଅ ଯିଏକି ବିରଳ ସ୍ନାୟୁ ରୋଗରେ ପୀଡ଼ିତ ଥିଲେ ତାଙ୍କର ସଫଳତାପୂର୍ବକ ଅସ୍ତ୍ରୋପଚାର କରି ନୂଆ ଜୀବନ ଦେଇଛନ୍ତି । ବଡ଼କଥା ହେଉଛି ଏଥିପାଇଁ କୌଣସି ଟଙ୍କା ନେଇନାହାଁନ୍ତି ଡାକ୍ତର କ୍ରିଷ୍ଣନ୍ । ଆଉ ଡାକ୍ତର କ୍ରିଷ୍ଣନ୍ ଙ୍କ ଚିକିତ୍ସା ଯୋଗୁଁ ପିଲାଟି ସାଧାରଣ ଜୀବନକୁ ଫରିପାରିଛି । ଆଜିକୁ ଚାରି ମାସ ପୂର୍ବରୁ ତାଙ୍କର ସର୍ଜରୀ ଶେଷ ହୋଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ପାକିସ୍ତାନର ଅଫସୀନ ଗଲ ସିନ୍ଧ୍ ଅଞ୍ଚଳରେ ରହୁଛନ୍ତି । ଭାଇଭଉଣୀଙ୍କୁ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ଅଫସୀନ । ସେ କେବେବି ସ୍କୁଲ ଯାଇନଥିଲେ । କାରଣ ତାଙ୍କ ସହ କିଛି ଅଲଗା ଘଟିଥିଲା । ଯେତେବେଳେ ସେ ୧୦ ମାସର ହୋଇଥିଲେ ତାଙ୍କ ଭଉଣୀଙ୍କ ହାତରୁ ଖସିପଡ଼ିଥିଲେ ଆଉ ତାଙ୍କର ବେକ ୯୦ ଡିଗ୍ରୀ ବଙ୍କା ହୋଇଯାଇଥିଲା । ଡାକ୍ତର ଚିକିତ୍ସା କରିବା ସହ ଏକ ବେଲ୍ଟ ସପୋର୍ଟ ଲଗାଇଥିଲେ କିନ୍ତୁ ତାଙ୍କର ଅବସ୍ଥା ଆହୁରି ଖରାପ ହେବାରେ ଲାଗିଥିଲା । ଧୀରେ ଧୀରେ ସେ ଚାଲିପାରିନଥିଲେ, ଖାଇ ପାରଲେନି, ଏମିତିକି କଥା ମଧ୍ୟ କହିପାରିଲେନି । ତାଙ୍କ ମା’ କହିଛନ୍ତି ସେ କେବଳ ତଳେ ଶୋଇରହୁଥିଲେ ଏବଂ ପରିବାର ଲୋକ ତାଙ୍କର ସବୁ କାମ କରୁଥିଲେ । ତାଙ୍କ ମା’ କହିଥିଲେ ଯେ ଟଙ୍କା ଅଭାବରୁ ସେ ଅଧିକ ଚିକିତ୍ସା ମଧ୍ୟ କରାଇପାରିନଥିଲେ ।

ଅଫସୀନ ମିଡିଆରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ୨୦୧୭ ରେ ପାକିସ୍ତାନୀ ଆକ୍ଟର ଏହସାନ ଖାନ୍ ତାଙ୍କର ଏଭଳି ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାପରେ ପାକିସ୍ତାନ ପିପୁଲ୍ସ ପାର୍ଟୀ ଏମପି ନାଜ୍ ବାଲୋଚ ଟ୍ୱିଟ୍ କରି ସରକାର ଚିକିତ୍ସା ପାଇଁ ସହଯୋଗ କରିବେ ବୋଲି କହିଥିଲେ । କିନ୍ତୁ ଅନେକ କଥାବାର୍ତ୍ତା ପରେ ବି କିଛି ସଫଳତା ମିଳିନଥିଲା ।

୨୦୧୯ ରେ ବ୍ରିଟିଶ ଜର୍ଣ୍ଣାଲିଷ୍ଟ ଆଲେକ୍ସାଣ୍ଡ୍ରିଆ ଥମାସ ଏକ ରିପୋର୍ଟରେ ଅଫସୀନଙ୍କ ବିଷୟରେ ଲେଖିଥିଲେ । ଥମାସ୍ ହିଁ ଆଫସୀନଙ୍କୁ ଡା. କ୍ରିଷ୍ଣନଙ୍କ ସହ ପରିଚୟ କରାଇଥିଲେ । ଡ. କ୍ରିଷ୍ଣନ ଦିଲ୍ଳୀ ଆପୋଲୋ ହସ୍ପିଟାଲର ଜଣେ ପ୍ରସିଦ୍ଧ ଜଟିଳ ସ୍ନାୟୁ ସର୍ଜରୀ ବିଶେଷଜ୍ଞ ଡାକ୍ତର । ସେ ଏହି କେସକୁ ଦେଖିଥିଲେ ଏବଂ ଅଫସୀନ ଆଟଲାଣ୍ଟୋ-ଆକ୍ସଏଲ ରୋଟାରୀ ଡିସଲୋକେସନର ଶିକାର ହୋଇଥିବା ନେଇ ଜାଣିବାକୁ ପାଇଥିଲେ, ଯାହାକି ହୁଏତ ବିଶ୍ୱର ପ୍ରଥମ କେସ୍ ।

ତେବେ ଡାକ୍ତର କ୍ରିଷ୍ଣନ୍ ଅଫସୀନଙ୍କୁ ଠିକ୍ କରିବା ପାଇଁ ପୂରା ଚେଷ୍ଟା କରିଥିଲେ ଆଇ ତିନିଟି ସର୍ଜରୀ ପରେ ଫେବୃଆରୀରେ ଶେଷ ସର୍ଜରୀ ପରେ ଅଫସୀନ ସୁସ୍ଥ ହୋଇଥିଲେ । ସେ ବର୍ତ୍ତମାନ ଠିକ୍ ଭାବରେ ଚାଲିପାରୁଛନ୍ତି ତଥା ଅନ୍ୟାନ୍ୟ କାମ କରିପାରୁଛନ୍ତି । ଡାକ୍ତର କ୍ରିଷ୍ଣନ୍ କହିଛନ୍ତି ଯେ ଯଦି ଅପରେସନ କରାଯାଇନଥାନ୍ତା ତେବେ ଆଫସୀନ ଅଧିକ ଦିନ ବଞ୍ଚିନଥାନ୍ତେ ।

ସେପଟେ ଅଫସୀନଙ୍କ ପରିବାର ଲୋକ ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହ ଡାକ୍ତର କ୍ରିଷ୍ଣନଙ୍କୁ ମସିହା(ଭଗବାନ) ବୋଲି କହିଛନ୍ତି । ଡାକ୍ତର କ୍ରିଷ୍ଣନ୍ ଅଫସୀନଙ୍କର  ନିୟମିତ ବ୍ୟବଧାନ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭିଡିଓ କଲ୍ ରେ ଯୋଗାଯୋଗ କରୁଛନ୍ତି ।

Get real time updates directly on you device, subscribe now.