fbpx

ଭାରତର ଏହି ସ୍ଥାନରୁ ମଙ୍କିପକ୍ସର ଆଉ ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ: ଜ୍ୱର ସହ ଶରୀରରେ ରହିଛି ଫୋଟକା

ନୂଆଦିଲ୍ଲୀ: କରୋନା ପରେ ଏବେ ମଙ୍କିପକ୍ସ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ ଦିଲ୍ଲୀର ଲୋକନାୟକ ମେଡିକାଲରେ ମଙ୍ଗଳବାର ଦିନ ମଙ୍କିପକ୍ସର ଲକ୍ଷଣ ଥିବା ଆଉ ଜଣେ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ଏହି ରୋଗୀ ଜଣକ ଜ୍ୱର ଏବଂ ଚର୍ମ ଦାଗର ଲକ୍ଷଣ ନେଇ ଡାକ୍ତରଖାନାର ଏମରଜେନ୍ସରେ ଆସିଥିଲେ । ରୋଗୀଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ତେବେ ସନ୍ଦିଗ୍ଧ ରୋଗୀ ଗାଜିଆବାଦରୁ ଆସିଛନ୍ତି । ତାଙ୍କ ଶରୀରରେ ପ୍ରବଳ ଜ୍ୱର ଏବଂ ଦାଗ ରହିଛି । ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ବର୍ତ୍ତମାନ ଡାକ୍ତରଙ୍କ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଆଜି ତାଙ୍କ ନମୁନା ପୁଣେର ଏକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇପାରେ । ଡାକ୍ତରଖାନା ସୂତ୍ର ଅନୁଯାୟୀ, ଏହି ସନ୍ଦିଗ୍ଧ ରୋଗୀ ୨୦ ଦିନ ପୂର୍ବରୁ ମୁମ୍ବାଇ ଯାତ୍ରା କରି ଆସିଛନ୍ତି ଓ ଏହାର ୨ ମାସ ପୂର୍ବରୁ ସେ ଫ୍ରାନ୍ସର ରାଜଧାନୀ ପ୍ୟାରିସ ଯାଇଥିଲେ ।

ଲୋକନାୟକ ମେଡିକାଲରେ ଭର୍ତ୍ତି ହୋଇଥିବା ପ୍ରଥମ ମଙ୍କିପକ୍ସ ରୋଗୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ସେ ପରିବାର ସଦସ୍ୟଙ୍କ ସହ ଫୋନରେ କଥା ହେଉଛନ୍ତି ଏବଂ ବର୍ତ୍ତମାନ କୌଣସି ଯନ୍ତ୍ରଣା ନାହିଁ । ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ଶରୀରରେ ନୂଆ ଫୋଟକା ବାହାରିବା ବନ୍ଦ ହୋଇଯାଇଛି । ଶରୀରରୁ ଦାମ ଫୋଟକାଗୁନିକ ସମ୍ପୂର୍ଣ୍ଣ ଯିବା ପରେ ତାଙ୍କ ନମୁନାକୁ ପୁଣି ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ ।

ତେବେ ଭାରତରେ ବର୍ତ୍ତମାନ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ସେଥିରୁ ୩ଟି ମାମଲା କେରଳରୁ ସାମ୍ନାକୁ ଆସିଥିବା ବେଳେ ଆଉ ଗୋଟିଏ ମାମଲା ଦେଶର ରାଜଧାନୀ ଦିଲ୍ଲୀର ବୋଲି ଜଣାପଡିଛି । ଦିଲ୍ଲୀରୁ ଚିହ୍ନଟ ମଙ୍କିପକ୍ସ ରୋଗୀ ମଧ୍ୟ ଲୋକନାୟକ ଜୟପ୍ରକାଶ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଓ ଏବେ ସୁସ୍ଥ ହେଉଛନ୍ତି । କୁହାଯାଉଛି କି, ତାଙ୍କ ଶରୀରର ଦାଗଗୁଡ଼ିକ ଠିକ୍ ହେବାକୁ ଅତି କମରେ ୧ ସପ୍ତାହ ଲାଗିବ ।

 

Get real time updates directly on you device, subscribe now.