fbpx

ରାଗିଂ ରୋକିବା ନେଇ ରାଜ୍ୟ ସରକାରଙ୍କ କଠୋର ନିୟମ: ୟୁନିଭରସିଟି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନିୟରଙ୍କ ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ତୁମ୍ବିତୋଫାନ ଦେଖାଦେଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟର ଏକାଧିକ ଶିକ୍ଷାନୁଷ୍ଠାନରେ ଜୁନିୟର ଛାତ୍ରଛାତ୍ରୀମାନେ ସିନିୟରଙ୍କ ଦ୍ୱାରା ରାଗିଂର ଶିକାର ହେଉଥିବାର ଦେଖାଯାଉଛି । ତେଣୁ ରାଗିଂକୁ ରୋଗିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜର କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଚିଠି ପଠାଯାଇଛି । ଶିକ୍ଷାନୁଷ୍ଠାନମାନଙ୍କରେ ଆଡମିଶନ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଅବଗତ କରାଯିବ । ଅନଲାଇନ/ ଅଫଲାଇନରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ ହେବ ।

ଲିଫଲେଟରେ କିମ୍ବା କଲେଜ କାନ୍ଥରେ ହେଲପ ଲାଇନ ନମ୍ବର ଲେଖାଯିବ । ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ସତର୍କ କରାଯିବ । ଆଣ୍ଟି ରାଗିଂ ସ୍କ୍ୱାଡ ଶିକ୍ଷାନୁଷ୍ଠାନର କ୍ଲାସ ରୁମ୍ ଓ ହଷ୍ଟେଲ ଆଦି ବୁଲି ସ୍ଥିତି ସମୀକ୍ଷା କରିବେ । ଯଦି କୌଣସି ପିଲା ରାଗିଂ କରୁଥିବା ବା ଉସୁକାଉଥିବା ନେଇ ପ୍ରମାଣ ମିଳେ, ତାଙ୍କ ବିରୋଧରେ ଏଫଆଇଆର ଦାୟର ହେବ । ଉକ୍ତ ଏଫଆଇଆରର ପଦକ୍ଷେପକୁ ଅପେକ୍ଷା ନକରି କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.