fbpx

ପାଣି ପିଇବାକୁ ଆସି ପ୍ରାଣ ହରାଇଲା କୁଟ୍ରା: ଶିକାରୀର ଲୋଭ ନେଇଗଲା ନିରୀହ ପ୍ରାଣୀର ଜୀବନ

ବୈପାରୀଗୁଡା: ଆଜିକାଲି ଦୁନିଆରେ ମଣିଷପଣିଆ ଧିରେ ଧିରେ ହଜି ହଜି ଯାଉଛି । ମଣିଷର ବିବେକ, ବୁଦ୍ଧି ଇତ୍ୟାଦି ଲୋପ ପାଇବାକୁ ବସିଛି । ଲୋଭ ମୋହର ବଶବର୍ତ୍ତୀ ହୋଇ ନିରୀହ ଜୀବଜନ୍ତୁଙ୍କୁ ବି ଛାଡୁନି ଆଜିର ଏ ମଣିଷ ଜାତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ବୈପାରିଗୁଡା ବନାଞ୍ଚଳରେ । ମାଂସ ଲୋଭରେ ଗୁଳି କରି ଗୋଟିଏ ନିରୀହ ଗର୍ଭିଣୀ କୁଟ୍ରାକୁ ଶିକାରୀ ହତ୍ୟା କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଶୋଷ ମେଣ୍ଟାଇବା ଆଶାରେ ପାଣି ପିଇବାକୁ ନଦୀକୂଳକୁ ଆସି ଯାଇଥିଲା ଏହି ଗର୍ଭିଣୀ କୁଟ୍ରା । ଯାହାକୁ ଦେଖି ତିଳେ ହେଳେ ଡେରି ନକରି, ମାରିଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣାଟି କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳର ମହୁଲି ଜଙ୍ଗଲରେ ଘଟିଯାଇଛି ।

ପାଣି ପିଇବା ପାଇଁ ଆସିଥିବା ଏକ ଗର୍ଭିଣୀ କୁଟ୍ରାକୁ କିଛି ଦୁର୍ବୃତ୍ତ ମାଂସ ଲୋଭରେ ହତ୍ୟା କରିଥିବା ଦେଖାଯାଇଛି । ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ ନିକଟ ଜଙ୍ଗଲରୁ ଏକ କୁଟ୍ରା ଗ୍ରାମକୁ ଲାଗି ରହିଥିବା ନଦୀକୁ ପାଣି ପିଇବା ପାଇଁ ଆସିଥିଲା । ଏହା ଦେଖି ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ ଗ୍ରାମବାସୀ । ଏହାପରେ ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳରେ ପହଞ୍ଚଥିଲେ ସ୍ଥାନୀୟ ବନ କର୍ମଚାରୀ ।

ତେବେ ଏହାପୂର୍ବରୁ କିଛି ଦୁର୍ବୃତ୍ତ କୁଟ୍ରାଟିକୁ ମାରି ଦେଇ କାଟିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ତେବେ ମୃତ କୁଟ୍ରାକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପ୍ରକାଶ କରିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ପାଣିଗ୍ରାହୀ । ଦୁର୍ବୃତ୍ତଙ୍କ ଶିକାର ହୋଇଥିବା କୁଟ୍ରାର ଓଜନ ପ୍ରାୟ ୩୦ କିଲୋଗ୍ରାମ ହୋଇପାରେ ବୋଲି ସୂଚନା ମିଳିଛି । ଫରେଷ୍ଟର ବିକାଶ ପାତ୍ର, ଏବଂ ପାରା କର୍ମଚାରୀ ଏହି ଚଢ଼ାଉରେ ଅଂଶଗ୍ରହଣ କରିଥିବା ବେଳେ ଏହାର ତଦନ୍ତ ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.