ନେତାଜୀ ସୁଭାଷଙ୍କ ସାଥୀ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଲାଲଙ୍କ ପରଲୋକ, ମନେ ପକାଇଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ସେନା ଆଜାଦ ହିନ୍ଦ ଫୌଜର ମେଜର ଭାବେ କାର୍ଯ୍ୟ କରିଥିବା ଈଶ୍ୱର ଲାଲ ସିଂହ ଆଉ ନାହାନ୍ତି । ୯୨ ବର୍ଷ ବୟସରେ ସିଙ୍ଗାପୁରରେ ତାଙ୍କର ମୃତ୍ୟୁ ଘଟିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ସେ ଭାରତମାତାର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ୧୯୪୩ରେ ସେ ଆଜାଦ୍ ହିନ୍ଦ ଫୌଜରେ ଯୋଗ ଦେଇଥିଲେ ।

ଈଶ୍ୱର ନେତାଜୀଙ୍କର ଜଣେ ବିଶ୍ୱସ୍ତ ସାଥୀ ଥିଲେ । ସେ ନେତାଜୀଙ୍କ ସହ ସିଙ୍ଗାପୁର, ମାଲେସିଆର ବିଭିନ୍ନ ସ୍ଥାନ ବୁଲି ଭାରତୀୟ ହିନ୍ଦୁ, ମୁସଲମାନ ଓ ଶିଖ ସଂପ୍ରଦାୟର ଦେଶପ୍ରେମୀଙ୍କୁ ଏକତ୍ର କରିଥିଲେ । ଈଶ୍ୱରଙ୍କ ମୃତ୍ୟୁରେ ତାଙ୍କର ଭଣଜା ମେଲବିନ୍ଦର ସିଂହ କହିଛନ୍ତି, ଚାଚାଙ୍କ ନିଧନ ଖବର କହିବା ପାଇଁ ଆମକୁ ବହୁତ ଦୁଃଖ ଲାଗୁଛି । ସେହିପରି ଈଶ୍ୱରଙ୍କ ପରଲୋକର ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମୃତ ଆତ୍ମାର ଶାନ୍ତି ପାଇଁ କାମନା କରାଯାଇଛି ।

ଈଶ୍ୱରଙ୍କ ମୃତ୍ୟୁ ସମ୍ବାଦ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ଟ୍ୱିଟ୍ କରିଛନ୍ତି, ଈଶ୍ୱରଙ୍କ ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ । ୨୦୧୯ ମସିହା ନଭେମ୍ବରରେ ସିଙ୍ଗାପୁର ଗସ୍ତ ସମୟରେ ମୁଁ ତାଙ୍କ ସହ ସାକ୍ଷାତ କରିଥିଲି । ତାଙ୍କର ମୃତ୍ୟୁରେ ମୁଁ ଅତ୍ୟନ୍ତ ମର୍ମାହତ । ଈଶ୍ୱର ତାଙ୍କର ପରିବାରକୁ ଶାନ୍ତି ପ୍ରଦାନ କରନ୍ତୁ ।