ଯେତିକି ଦୂର ଯାତ୍ରା, ସେତିକି ଟୋଲ୍: ଏବେ ଫାଷ୍ଟ ଟ୍ୟାଗ୍ ନୁହେଁ, ବରଂ ଜିପିଏସରୁ ନିଆଯିବ ଟଙ୍କା

ନୂଆଦିଲ୍ଲୀ: ଏଣିକି ଯେତିକି ଦୂର ଯାତ୍ରା କରିବେ, ସେତିକି ଟୋଲ୍ ଦେବାକୁ ପଡ଼ିବ । ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନୂଆ ଟେକ୍ନୋଲୋଜି ଆଣିବାକୁ ଯୋଜନା କରୁଛନ୍ତି । ଏହା ମାଧ୍ୟମରେ ରାଜପଥରେ ଥିବା ଟୋଲ୍ ପ୍ଲାଜା ହଟାଇ ଜିପିଏସ୍ ଆଧାରିତ ଟେକ୍ନୋଲୋଜିରେ ଟୋଲ୍ ଭରାଯିବ ।

ସୂଚନାନୁସାରେ, ଦେଶରେ ଏହି ସମୟରେ ନୂଆ ପଦ୍ଧତି ପରୀକ୍ଷା କରିବା ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଚାଲିଛି । ଉଦାହରଣ ସ୍ୱରୂପ, ରାଜପଥରେ ଏକ କାର ଯେତିକି କିଲୋମିଟର ଯାତ୍ରା କରିଥିବ, ସେହି ଆଧାରରେ ଟୋଲ୍ ଦେବାକୁ ପଡ଼ିବ ।

ଯେକୌଣସି ବ୍ୟକ୍ତିଙ୍କୁ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଥିବା ଦୂରତା ଆଧାରରେ ଟୋଲ ଦେବାକୁ ପଡିବ । ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ପରିବହନ ନୀତିରେ ମଧ୍ୟ ପରିବର୍ତ୍ତନ ଆସିବ । ପାଇଲଟ୍ ଯୋଜନାରେ ସାରା ଦେଶରେ ୧.୩୭ ଲକ୍ଷ ଯାନବାହନକୁ ସାମିଲ କରାଯାଇଛି ।

ତେବେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଚଳିତ ବର୍ଷ ମାର୍ଚ୍ଚରେ ଲୋକସଭାରେ କହିଥିଲେ ଯେ, ସରକାର ଏକ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ଟୋଲ ପ୍ଲାଜା ବୁଥ ହଟାଇବେ । ଏହା ବ୍ୟତୀତ ଟୋଲ ବୁଥଗୁଡିକ ଜିପିଏସ ଆଧାରିତ ଟୋଲ ସଂଗ୍ରହ ପ୍ରଣାଳୀରେ ସଂପୂର୍ଣ୍ଣ ରୂପାନ୍ତରିତ ହେବ ବୋଲି ସେ କହିଥିଲେ । ଜିପିଏସ୍ ଇମେଜିଂ ମାଧ୍ୟମରେ ଚଳନ୍ତା ଯାନରେ ଏହି ଟୋଲ୍ ସଂଗ୍ରହ କରାଯିବ ବୋଲି ସେ କହିଥିଲେ ।