fbpx

ଅଟଳ ପେନସନ୍ ଯୋଜନାରେ ବଡ଼ ପରିବର୍ତ୍ତନ: ଏବେ ବନ୍ଦ ହୋଇଯିବ ଏହି ଆକାଉଣ୍ଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଟଳ ପେନସନ୍ ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି । ନୂଆ ପରିବର୍ତ୍ତନ ପରେ ଅନେକ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଆରମ୍ଭ ହୋଇଥିବା ଏହି ପେନସନ୍ ଯୋଜନାରେ ସରକାର ଅନେକ ପରିବର୍ତ୍ତନ କରିଛନ୍ତି । ପରିବର୍ତ୍ତନ ପରେ ଇନକମ୍ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଏଥିରୁ ବାହାର କରାଯାଇଛି । ଏହି ଯୋଜନା ଅଧୀନରେ ୬୦ ବର୍ଷ ବୟସ ପରେ ଆକାଉଣ୍ଟଧାରୀଙ୍କୁ ପ୍ରତି ମାସରେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେବାର ବ୍ୟବସ୍ଥା ରହିଛି । ନିୟମରେ କ’ଣ ପରିବର୍ତ୍ତନ ହୋଇଛି, ଆସନ୍ତୁ ଜାଣିବା…

୧-ଇନକମ୍ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ମିଳିବନି ଲାଭ
ନୂଆ ନିୟମ ଅନୁସାରେ, ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି , ସେମାନେ ୧ଅକ୍ଟୋବର ୨୦୨୨ ପରେ ଅଟଳ ପେନସନ୍ ଯୋଜନା ଅଧୀନରେ ଆକାଉଣ୍ଟ ଖୋଲିବାକୁ ସମର୍ଥ ହେବେ ନାହିଁ । ନିକଟରେ ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି ।

୨- ଇନକମ୍ ଟ୍ୟାକ୍ସ ଦେଉଥିବା ଲୋକଙ୍କ ପାଖରେ ଏବେ ବି ଅଛି ସୁଯୋଗ
ଆପଣ ଆୟକର ଜମା କରନ୍ତି ଏବଂ ଯଦି ଆପଣ ଅଟଳ ପେନ୍ସନ୍ ଯୋଜନାରେ ଏକ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି, ତେବେ ଆପଣ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିପାରିବେ । କାରଣ ନୂଆ ନିୟମ ଅନୁଯାୟୀ, ଆୟକରଦାତାମାନେ ୧ ଅକ୍ଟୋବର ୨୦୨୨ ରୁ ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ ନାହିଁ । ଯଦି ଆପଣ ଏକ ଆକାଉଣ୍ଟ ଖୋଲିବା ପାଇଁ ଆବେଦନ କରନ୍ତି, ତେବେ ଆବେଦନ ବାତିଲ ହୋଇଯିବ ।

୩. ଆୟକରଦାତା ଆକାଉଣ୍ଟ ଖୋଲିଲେ କଣ ହେବ?

ଯେଉଁମାନେ ପୂର୍ବରୁ ଏକ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ଏହି ଯୋଜନାର ଲାଭ ପାଇବେ । ଯଦି ୧ ଅକ୍ଟୋବର ପରେ ଅଟଳ ପେନସନ୍ ଯୋଜନା ଆକାଉଣ୍ଟ ଖୋଲନ୍ତି ଏବଂ ଯଦି ସେହି ବ୍ୟକ୍ତି ଇନକମ୍ ଟ୍ୟାକ୍ସ ଦେଉଛନ୍ତି, ତା’ହେଲେ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ।

୪. ଆକାଉଣ୍ଟ ବନ୍ଦ ହେଲେ ଜମା ହୋଇଥିବା ଟଙ୍କାର କ’ଣ ହେବ?
ଯଦି ଜଣେ ଆୟକରଦାତା ୩୦ ସେପ୍ଟେମ୍ବର ପରେ ଅଟଳ ପେନସନ୍ ଯୋଜନାରେ ଏକ ଆକାଉଣ୍ଟ ଖୋଲନ୍ତି, ତେବେ ଆକାଉଣ୍ଟ ବନ୍ଦ କରିବା ପରେ ତାଙ୍କ ଦ୍ୱାରା ଜମା ହୋଇଥିବା ଟଙ୍କା ତାଙ୍କୁ ଫେରସ୍ତ କରାଯିବ ।

୫. ଅଟଳ ପେନ୍ସନ୍ ଯୋଜନାର ଲାଭ କିଏ ନେଇପାରିବ ?
ଅଟଳ ପେନସନ୍ ଯୋଜନା ଅନୁଯାୟୀ, ୧୮ ବର୍ଷରୁ ୪୦ ବର୍ଷ ବୟସର ସମସ୍ତ ଭାରତୀୟ ନାଗରିକ ଅଟଳ ପେନସନ୍ ଯୋଜନାର ଲାଭ ଉଠାଇ ପାରିବେ । ଏକ ବ୍ୟାଙ୍କ କିମ୍ବା ଡାକଘର ସେଭିଂ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଏହି ଯୋଜନାର ଏକ ଅଂଶ ହୋଇପାରେ । ମାର୍ଚ୍ଚ ୨୦୨୨ ସୁଦ୍ଧା ୪ କୋଟିରୁ ଅଧିକ ଲୋକ ଅଟଳ ପେନସନ୍ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଉଛନ୍ତି ।

Get real time updates directly on you device, subscribe now.