fbpx

ଅନ୍ୟ ଦେଶକୁ କରୋନା ଔଷଧ ଦେବ ଭାରତ

ହାଇଡ୍ରୋକ୍ଲୋରୋକ୍ୱିନ୍ ଉପରୁ ହଟିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୭ା୪: କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା କ୍ଷେତ୍ରରେ ସହାୟକ ହେଉଥିବା ହାଇଡ୍ରୋକ୍ଲୋରୋକ୍ୱିନ୍ ଟାବଲେଟକୁ ଅନ୍ୟ ଦେଶକୁ ରପ୍ତାନି ଉପରେ ଥିବା ପ୍ରତିବନ୍ଧକକୁ ମଙ୍ଗଳବାର କେନ୍ଦ୍ର ସରକାର ଆଂଶିକଭାବେ ହଟାଇ ଦେଇଛନ୍ତି । ମାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ଲୋରେକ୍ୱିନ୍ ଦେଶରେ କେତେ ପରିମାଣରେ ଆବଶ୍ୟକ ତାହାକୁ ହିସାବ କରିବା ପରେ ଅନ୍ୟ ଜରୁରୀ ଦେଶଗୁଡ଼ିକୁ ଭାରତ ଏହାର ରପ୍ତାନୀ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ କେଉଁ ଦେଶକୁ କେତେ ପରିମାଣର ହାଇଡ୍ରୋ କ୍ଲୋରୋକ୍ୱିନ୍ ଔଷଧ ଦିଆଯିବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇପାରି ନାହିଁ । ପ୍ରକାଶଯୋଗ୍ୟ, କିଛିଦିନ ତଳେ ଫୋନ୍ ଯୋଗେ ବାର୍ତ୍ତାଳାପ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋ କ୍ଲୋରୋକ୍ୱିନ୍ ଅଧିକ ମାତ୍ରାରେ ଯୋଗାଇଦେବାକୁ ଅନୁରୋଧ କରିଥିଲେ । ନାମ ପ୍ରକାଶ ନକରି ଜଣେ ଅଧିକାରୀ କହିଛନ୍ତି ଯେ, ଭାରତରୁ ଅନ୍ୟ ଦେଶକୁ ହାଇଡ୍ରୋ କ୍ଲୋରୋକ୍ୱିନ୍ ଟାବ୍ଲେଟ୍ ରପ୍ତାନୀ ଉପରେ ଥିବା ପ୍ରତିବନ୍ଧକକୁ ଆଂଶିକଭାବେ ହଟାଇ ଦିଆଯାଇଛି, କିନ୍ତୁ ପାରାସିଟାମୋଲ୍ ଟାବଲେଟର ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାନବୀୟ ମୂଲ୍ୟବୋଧକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଭାରତ ନିଜ ପଡୋଶୀ ରାଷ୍ଟ୍ର (ଯେଉଁମାନେ ଆମ କ୍ଷମତା ଉପରେ ନିର୍ଭରଶୀଳ)ଙ୍କୁ ଉଚିତ୍ ମାତ୍ରାରେ ହାଇଡ୍ରୋକ୍ଲୋରୋକ୍ୱିନ୍ ଯୋଗାଇ ଦିଆଯିବ । ଏହାସହ ମହାମାରୀ କରୋନା ଫଳରେ ଅଧିକ ମାତ୍ରାରେ ପ୍ରଭାବିତ କିଛି ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ହାଇଡ୍ରୋକ୍ଲୋରୋକ୍ୱିନ୍ ସପ୍ଲାଇ କରାଯିବ ବୋଲି କୁହାଯାଇଛି ।

ପ୍ରକାଶଯୋଗ୍ୟ, ଭାରତରେ କରୋନାର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆବଶ୍ୟକ ପରିମାଣର ଔଷଧ ଷ୍ଟକ୍ ରଖାଯାଉଛି ଏବଂ ଏହାପରେ ହିଁ ଅନ୍ୟଦେଶକୁ ଏହାର ସପ୍ଲାଇ ଉପରେ ଗୁରୁତ୍ୱ ଦିଆଯିବ । ଭାରତ ସରକାରଙ୍କୁ ହାଇଡ୍ରୋକ୍ଲୋରୋକ୍ୱିନ୍ ଯୋଗାଇ ଦେବାକୁ ଆମେରିକା, ବ୍ରାଜିଲ୍, ରୁଷ୍, ଇସ୍ରାଏଲ୍, ଜର୍ମାନୀ, ଫ୍ରାନ୍ସ, ଆବୁଧାବୀ ଓ ସ୍ପେନ୍ ପକ୍ଷରୁ ଅନୁରୋଧ କରାଯାଇଛି । ଏପରିକି ଏହି ହାଇଡ୍ରୋକ୍ଲୋରୋକ୍ୱିନ୍ ଟାବଲେଟ୍ ଯୋଗାଇ ନଦେଲେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରୋକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଥିଲେ । ପ୍ରକାଶଯୋଗ୍ୟ, ହାଇଡ୍ରୋକ୍ଲୋରେକ୍ୱିନ୍ ହେଉଛି ମାଲେରିଆ ନିରାକରଣ ଔଷଧ । ଭାରତ ଏହି ଔଷଧର ସବୁଠାରୁ ବଡ଼ ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ଲୋରୋକ୍ୱିନ୍ ଟ୍ରାଏଲ୍ ଷ୍ଟେଜ୍ରେ ରହିଛି ଏବଂ ଏପର୍ଯ୍ୟନ୍ତ ଏହି ରୋଗର ଚିକିତ୍ସା ପାଇଁ ଏହା ବେଶ୍ ଉପଯୋଗୀ ବୋଲି କୁହାଯାଉଛି । ଏହାର ରପ୍ତାନୀ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସ ୨୫ ତାରିଖରେ ପ୍ରତିବନ୍ଧକ ଲଗାଯାଇଥିଲା ।

Get real time updates directly on you device, subscribe now.