‘ବନ୍ଦା ତେରା କ୍ୟା ଦିମାଗ୍ ରେ’: ଗୋଟିଏ ଝଟକାରେ ୫ କୋଟିର ମାଲିକ ହୋଇଗଲା ମାମୁଲି Delivery Boy

ନୂଆଦିଲ୍ଲୀ: ଆଜିକାଲିର ଜମାନାରେ କିଏ କେତେବେଳେ କୋଟିପତି ପାଲଟିଯିବ ତାହା କହିବା ମୁସ୍କିଲ । ଏପରି ଅନେକ ଯୁବକ, ଯୁବତୀ, କମ୍ ସମୟ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ ବନିଯାଉଛନ୍ତି । ତେବେ ନିକଟରେ ଜଣେ ଡେଲିଭରି ବଏ କୋଟିପତି ପାଲଟି ଯାଇଛନ୍ତି । ସେ ଡେଲିଭରି କାମ କରି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ । ସେହି ଟଙ୍କା ତାଙ୍କୁ ଏବେ କୋଟିପତି କରିଦେଇଛି । ଏବେ ସେ ୪ କୋଟିରେ ଘରେ ରହିବା ସହ ୨ କୋଟିର ଗାଡ଼ିରେ ବୁଲୁଛନ୍ତି ।

ଖବର ମୁତାବକ, ଡେଲିଭରି ବଏ ମାତ୍ର ୨୮ ବର୍ଷ ବୟସରେ କୋଟିପତି ବନିଯାଇଛନ୍ତି । ସେ ନିଜର ବର୍ଷ ବର୍ଷର ପରିଶ୍ରମର ସଞ୍ଚୟ ଅର୍ଥକୁ କ୍ରିପ୍ଟୋକରେନ୍ସିରେ ଇନଭେଷ୍ଟ କରିଥିଲେ । ସେହି ନିବେଶ ଆଜି ତାଙ୍କୁ କୋଟିପତି ଭାବେ ପରିଚୟ ଦେଇଛି । ଉକ୍ତ ଯୁବକଙ୍କ ନାମ କୈଫ ଭଟ୍ଟି । ସେ ବ୍ରିଟେନର ରାଜଧାନୀ ଲଣ୍ଡନର ବେଷ୍ଟ ଡ୍ରେଟନର ବାସିନ୍ଦା ଅଟନ୍ତି ।

କୈଫ ଗତ ୨୦୧୭ରେ ନିଜର ଗ୍ରାଜୁଏସନ ସମାପ୍ତ କରିବା ପରେ ଡେଲିଭରି ବଏ କାମ କରିଥିଲେ । ସେ ଦୈନିକ ପାଖାପାଖି ୧୪ ଘଣ୍ଟା ପରିଶ୍ରମ କରୁଥିଲେ । ଏହି କାମକୁ ନେଇ ସେ ଉଦାସ ରହିବା ସହ ତାଙ୍କ ଜୀବନ କିପରି ପରିବର୍ତ୍ତନ ହେବ ସେନେଇ ଚିନ୍ତିତ ରହୁଥିଲେ । ପରେ ସେ ଜୀବନରେ ଏକ ବଡ଼ ରିସ୍କ ନେଇଥିଲେ । ନିଜର ସମସ୍ତ ସଞ୍ଚୟ ଅର୍ଥକୁ କ୍ରିପ୍ଟୋରେ ନିବେଶ କରିଦେଇଥିଲେ । ପରେ ଏହି ନିବେଶରୁ ସେ ୨୮ ଲକ୍ଷ କମାଇଥିଲେ । ଏହାପରେ ପରେ ସେ ଧୀରେଧୀରେ ୫ କୋଟିର ମାଲିକ ବନିଯାଇଥିଲେ ।