fbpx

ସଡ଼କ ଦୁର୍ଘଟଣାର କାରଣ ବିଶ୍ଲେଷଣ ପାଇଁ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଇଞ୍ଜିନିୟର ଓ ପୋଲିସ ଅଧିକାରୀ, ରାଜ୍ୟ ପରିବହନ ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)ଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ସଡ଼କ ଦୁର୍ଘଟଣାର ପ୍ରକୃତ କାରଣ ବିଶ୍ଲେଷଣ କରାଯିବ । ଏଥିପାଇଁ ଏସଟିଏ ଅଧିନରେ ଥିବା ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟି ପକ୍ଷରୁ ଅବସରପ୍ରାପ୍ତ ଇଞ୍ଜିନିୟର ଓ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ମିଳିବ ।

ଏହି ଅଧିକାରୀମାନେ ମିଳିତ ଭାବେ ଦୁର୍ଘଟଣା ସ୍ଥଳ ଯାଞ୍ଚ କରି ବିସ୍ତୃତ ରିପୋର୍ଟ ଦାଖଲ କରିବେ । ଏହାଫଳରେ ଦୁର୍ଘଟଣା ଘଟିବାର ପ୍ରକୃତ କାରଣ ଜଣାପଡ଼ିବ ଓ ଏହାର ପ୍ରତିକାର ବ୍ୟବସ୍ଥା ମଧ୍ୟ କରାଯିବ । ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ପଦରୁ ଅବସର ନେଇଥିବା କିମ୍ବା ତାଙ୍କ ସମସାମୟିକ ସରକାରୀ ଚାକିରି କରିଥିବା ସିଭିଲ୍ ଇଞ୍ଜିନିୟରଙ୍କଠାରୁ ଆବେଦନ ଗ୍ରହଣ କରାଯିବ । ଏହି ଅଧିକାରୀମାଙ୍କର ପବ୍ଲିକ ସେକ୍ଟର କିମ୍ବା ସଡ଼କ ନିର୍ମାଣ କାର୍ଯ୍ୟ କରୁଥିବା କୌଣସି ସଂସ୍ଥାରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଥିବା ଆବଶ୍ୟକ ।

ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଆଇଟି, ଏନଆଇଟି, ସରକାରୀ ଅନୁସନ୍ଧାନ ପ୍ରତିଷ୍ଠାନର ଅବସରପ୍ରାପ୍ତ କିମ୍ବା ସେବା କରୁଥିବା ଅଧ୍ୟାପିକାଙ୍କ ବ୍ୟତୀତ ସଡ଼କ ନିର୍ମାଣ, ସଡ଼କ ଦୁର୍ଘଟଣା, ସଡ଼କ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ଅଧିକାରୀମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ । ସେହିପରି ପୋଲିସ ଇନ୍ସପେକ୍ଟର ରାଙ୍କର ଅବସରପ୍ରାପ୍ତ ଅଧିକାରୀ କିମ୍ବା ତାଙ୍କଠାରୁ ଅଧିକ ରାଙ୍କର ବ୍ୟକ୍ତିମାନେ ଏଥିରେ ଆବେଦନ କରିପାରିବେ । ଆବେଦନକାରୀଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ । ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ କେସ ଭିତ୍ତିରେ ୫ ହଜାର ଓ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ୩ ହଜାର ବୃତ୍ତିଗତ ଶୁଳ୍କ ପ୍ରଦାନ କରାଯିବ । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ହେଉଛି ଆସନ୍ତା ସେପ୍ଟେମ୍ବର ୨୦ ତାରିଖ । ଅଧିକ ସୂଚନା ପାଇବା ପାଇଁ ପ୍ରାର୍ଥୀମାନେ odishatransport.gov.in ୱେସାଇଟ୍ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.