fbpx

‘ମୁସଲିମ ଡେଲିଭରୀ ବୟ ପଠାନ୍ତୁ ନାହିଁ’, ଖାନା ଅର୍ଡର ସମୟରେ ଏମିତି ମେସେଜ୍ ଲେଖିଲେ ଗ୍ରାହକ

ହାଇଦ୍ରାବାଦ: ଆଜିର ସମୟରେ ଅନଲାଇନର ବହୁଳ ବ୍ୟବହାର ବଢିବାରେ ଲାଗିଛି। କୌଣସି ସାମାନ ଦରକାର ବାସ୍ ଆପଣଙ୍କୁ ଘରେ ବସି ମିଳି ଯାଉଛି। ବିଶେଷ କରି ଅନଲାଇନ ଫୁଡ୍ ଡେଲିଭରୀ ବୟ ଲୋକଙ୍କ ଜୀବନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ନେଇ ଯାଇଛି। ଘରେ ବସି କେବଳ ଏକ ଆପରୁ ଅର୍ଡର କରି ଦେଲେ ମନ ପସନ୍ଦର ଖାଦ୍ୟ ପହଞ୍ଚି ଯାଉଛି। ହେଲେ ଅନେକ ଥର ଏହି ଡେଲିଭରୀ ବୟଙ୍କ ସହିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟି ଯାଉଛି। ଏମିତି ଏକ ମାମଲା ହାଇଦ୍ରାବାଦରୁ ଆସିଛି। ଜଣେ ବ୍ୟକ୍ତି ନିଜର ଖାଦ୍ୟ ଅର୍ଡର କରିବା ସମୟରେ ସ୍ଵିଗିକୁ ମେସେଜ୍ କରିଛନ୍ତି ଯେ, ଅର୍ଡରରେ ଯେମିତି ଡେଲିଭରୀ ବୟ ମୁସଲିମ ହୋଇନଥିବା ଦରକାର। ଏହି ମେସେଜର ସ୍କ୍ରିନ ସଟ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।

ଏହି ଘଟଣା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ହୋଇଥିବା କୁହାଯାଉଛି। ଏଠାକାର ଜଣେ ଗ୍ରାହକ ଅନଲାଇନ ଫୁଡ୍ ଡେଲିଭରୀ ପାଇଁ ସ୍ଵିଗିରୁ ଅର୍ଡର କରିବା ସହିତ ଲେଖିଛନ୍ତି, ମୁସଲିମ ଡେଲିଭରୀ ବୟ ଦ୍ଵାରା ଖାଦ୍ୟ ପଠାଇବେ ନାହିଁ। ଗ୍ରାହକଙ୍କ ଏହି ମେସେଜର ସ୍କ୍ରିନ ସଟ୍ ସଂପ୍ରତି ଭାଇରାଲ୍ ହେବାରେ ଲାଗିଛି। ସାମାଜିକ ଗଣାମଧ୍ୟମରେ ଲୋକେ ଏହାକୁ ସେୟାର କରୁଛନ୍ତି ଏବଂ ଯୁବକଙ୍କ ସମାଲୋଚନା ମଧ୍ୟ କରୁଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ତେଲେଙ୍ଗାନା ଷ୍ଟେଟ ଟ୍ୟାକ୍ସି ଆଣ୍ଡ ଡ୍ରାଇଭର୍ସ ଜେଏସିର ଅଧ୍ୟକ୍ଷ ଶେଖ ସଲାଉଦ୍ଦୀନ ଏହି ସ୍କ୍ରିନ ସଟ୍ ସେୟାର କରି ଟୁଇଟରରେ ଏମିତି ସନ୍ଦେଶ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ଅପିଲ୍ କରିଛନ୍ତି। ସେ ଲେଖିଛନ୍ତି, ଏମିତି ଅନୁରୋଧ ବିରୋଧରେ ପଦକ୍ଷେପ ନିଅନ୍ତୁ। ଡେଲିଭରୀ ବୟ ଏଠାରେ ସମସ୍ତଙ୍କୁ ଖାଦ୍ୟ ପହଞ୍ଚାଇବାର କାମ କରୁଛନ୍ତି। ସେ ହିନ୍ଦୁ ହୁଅନ୍ତୁ କି ମୁସଲିମ ବା ଖ୍ରୀଷ୍ଟିୟାନ ବା ଶିଖ।

 

ସେହିପରି ଅନ୍ୟ ଏକ ଘଟଣାକ୍ରମେ ହାଇଦ୍ରାବାଦରେ ଜଣେ ସ୍ଵିଗି ଗ୍ରାହକ ମୁସଲିମ ଡେଲିଭରୀ ବୟ ଖାଦ୍ୟ ନେଇକି ଆସିଥିବାରୁ ଅର୍ଡର ବାତିଲ୍ କରି ଦେଇଥିଲେ। ଗ୍ରାହକ ଜଣକ ଦାବି କରିଥିଲେ ଯେ, ସେ ଡେଲିଭରୀ ସମୟରେ ସ୍ପଷ୍ଟ ଭାବେ ଲେଖିଥିଲେ ଯେ, ଖାଦ୍ୟ ବହୁତ କମ ମସଲାଯୁକ୍ତ ହୋଇଥିବ ଏବଂ ଡେଲିଭରୀ ବୟ ଜଣେ ହିନ୍ଦୁ ହୋଇଥିବ। ସମସ୍ତ ରେଟିଂ ଏହା ଉପରେ ହିଁ ଆଧାରିତ ହେବ।

ସଂପ୍ରତି ବର୍ତ୍ତମାନର ମାମଲାରେ ସ୍ଵିଗି ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ଉଲ୍ଲେଖନୀୟ ହାଇଦ୍ରାବାଦରେ ସ୍ଵିଗି ଏବଂ ଜୋମାଟୋ ଦୁଇ ପ୍ରସିଦ୍ଧ ଫୁଡ୍ ଅନଲାଇନ ଡେଲିଭରୀ ସଂସ୍ଥା। ବହୁ ସଂଖ୍ୟାରେ ଲୋକ ନିଜର ଭୋଜନ ପାଇଁ ଏହି ଦୁଇ ପୋର୍ଟାଲ ଉପରେ ନିର୍ଭରଶୀଳ। ମାତ୍ର ଅନେକ ଥର ଗ୍ରାହକଙ୍କ ଅଜବ ବ୍ୟବହାର ସାମ୍ନାକୁ ଆସୁଛି ଯାହା ନୂତନ ବିବାଦକୁ ଜନ୍ମ ଦେଉଛି ଏବଂ ସମାଜକୁ ଭୁଲ୍ ସନ୍ଦେଶ ଯାଉଛି।

Get real time updates directly on you device, subscribe now.