ମାଗଣା ବିଜୁଳିକୁ ନେଇ ଦିଲ୍ଲୀରେ ଲାଗୁ ହେଲା ନୂଆ ନିୟମ: ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ବିଜୁଳି ସବସିଡି ମିଳିବ । ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ଦିଲ୍ଲୀରେ ଅଯଥାରେ ବହୁତ ବିଜୁଳି ଅପଚୟ ହେଉଥିଲା । ଆମ ଆଦମୀ ପାର୍ଟି (ଆପ) ଜନତାଙ୍କ ସମସ୍ୟା ହୃଦୟଙ୍ଗମ କରି ୨୪ ଘଣ୍ଟିଆ ମାଗଣା ବିଜୁଳି ପ୍ରଦାନ କରିଥିଲା ବୋଲି କେଜ୍ରିୱାଲ କହିଛନ୍ତି ।

କେଜ୍ରି କହିଛନ୍ତି, ଦିଲ୍ଲୀରେ ଭ୍ରଷ୍ଟାଚାରକୁ ରୋକି ଅର୍ଥ ସଞ୍ଚୟ କରାଗଲା । ଉକ୍ତ ଅର୍ଥକୁ ଜନସାଧାରଣଙ୍କ ହିତ ସାଧନରେ ଲାଗୁ କରାଗଲା । ବର୍ତ୍ତମାନ ଦିଲ୍ଲୀରେ ୫୮ ଲକ୍ଷ ବିଜୁଳି ଉପଭୋକ୍ତା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ଲୋକଙ୍କର ବିଜୁଳି ବିଲ୍ ଶୂନ ଆସୁଛି । ୧୭ ଲକ୍ଷ ଉପଭୋକ୍ତାଙ୍କ ଅଧା ବିଲ୍ ଆସୁଛି । ଯେଉଁମାନେ ସବସିଡି ମାଗିବେ ସେମାନଙ୍କୁ ସବଡିସି ଦିଆଯିବ । ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ନିୟମ ଲାଗୁ ହେବ ।

ଲୋକଙ୍କ ପାଖକୁ ବିଜୁଳି ବିଲ ସହିତ ଏକ ଫର୍ମ ଆସିବ । ଉକ୍ତ ଫର୍ମକୁ ବିଜୁଳି ବିଲ କେନ୍ଦ୍ରରେ ଜମା କରିବାକୁ ପଡ଼ିବ । ଉପଭୋକ୍ତାଙ୍କ ପାଇଁ ଏକ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବରରେ ମିସଡ୍ କଲ କଲେ ହ୍ୱାଟସଆପରେ ଏକ ଫର୍ମ ଓପନ ହୋଇଯିବ ଯେଉଁମାନଙ୍କର ମୋବାଇଲ ନମ୍ବର ରେଜିଷ୍ଟର ହୋଇଥିବ ସେମାନଙ୍କୁ ଏକ ମେସେଜ୍ ପଠାଯିବ । ଅକ୍ଟୋବର ୩୧ ସୁଦ୍ଧା ଯେଉଁମାନେ ଏହି ଫର୍ମ ଭରିବେ ସେମାନଙ୍କୁ ବିଜୁଳି ଯୋଜନାର ଫାଇଦା ମିଳିବ । ତା’ ପର ମାସରେ ଫର୍ମ ଭରିବା ପରେ ପୂର୍ବ ମାସର ବିଲ ଜମା କରିବାକୁ ପଡ଼ିବ । ସରକାର ଏନେଇ ଘରକୁ ଘର ବୁଲି ସଚେତନତା ଅଭିଯାନ ଚଳାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।