ନୂଆଦିଲ୍ଲୀ: ଅନେକ ସମୟରେ ମଣିଷମାନେ ନିର୍ଦୟ ହୋଇକିଛି ପଶୁପକ୍ଷୀଙ୍କୁ ହତ୍ୟା କରୁଥିବାର ଦେଖାଯାଇଛି । ସମାନ ଭାବରେ କିଛି ପଶୁ ମଧ୍ୟ ମଣିଷଙ୍କୁ ହତ୍ୟା କରିଥାନ୍ତି । କିନ୍ତୁ କଙ୍ଗାରୁ ମଣିଷଙ୍କୁ ହତ୍ୟା କରିବା ଘଟଣା ହୁଏତ ଖୁବ କମ୍ ଶୁଣିବାକୁ ମିଳିଥାଏ । କିନ୍ତୁ ଏବେ ଗୋଟିଏ କଙ୍ଗାରୁ ଜଣକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି । ଅବଶ୍ୟ ଏହି ଘଟଣା ୧୯୩୬ ମସିହା ପରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ସୂଚନା ଅନୁସାରେ, ପଶ୍ଚିମ ଅଷ୍ଟ୍ରେଲିଆର ଏକ ସ୍ଥାନରେ ଗୋଟିଏ କଙ୍ଗାରୁ ଜଣଙ୍କ ଉପରେ ଭୟଙ୍କର ଭାବରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୭୭ ବର୍ଷୀୟ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ପରେ ପ୍ରାଣ ହରାଇଛନ୍ତି । ପର୍ଥରୁ ଦକ୍ଷିଣ-ପୂର୍ବରେ ପ୍ରାୟ ୪୦୦ କି.ମି ଦୂର ରେଡମଣ୍ଡରେ ଜଣେ ସମ୍ପର୍କୀୟଙ୍କ ଘରେ ଆହତ ବୃଦ୍ଧ ମିଳିଥିଲେ । ତେବେ ସେ ଏହି କଙ୍ଗାରୁକୁ ପୋଷା ମନେଇ ରଖିଥିବା ସନ୍ଦେହ କରୁଛି ପୋଲିସ । ଅଷ୍ଟ୍ରେଲିଆର ଇମରଜେନ୍ସି ସର୍ଭିସ ଯେବେ ବୃଦ୍ଧଙ୍କ ଘରେ ପହଞ୍ଚିଥିଲା, ନର କଙ୍ଗାରୁ ପାରା ମେଡିକ୍ସଙ୍କୁ ଚିକିତ୍ସା କରିବା ପାଇଁ ରୋକିବା ସହ ଆକ୍ରମଣ ମଧ୍ୟ କରିଥିଲା । ଏହି ସମୟରେ ପୋଲିସ କଙ୍ଗାରୁକୁ ଗୁଳି ମାରି ଦେଇଥିଲେ । ଏହାପରେ ପୋଲିସ ଏବଂ ପାରାମେଡିକ୍ସ ବୃଦ୍ଧଙ୍କ ନିକଟରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।
ଆକ୍ରମଣ କରିଥିବା ଏହି କଙ୍ଗାରୁ ୱେଷ୍ଟର୍ଣ୍ଣ ଗ୍ରେ କଙ୍ଗାରୁ ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୫୪ କିଲୋଗ୍ରାମ ରହିଛି । ଏହାସହ କଙ୍ଗାରୁର ଲମ୍ବ ପ୍ରାୟ ୧.୩ ମିଟର ବୋଲି ଜାଣିବାକୁ ମିଳିଛି । ତେବେ ଅଷ୍ଟ୍ରେଲିଆରେ କଙ୍ଗାରୁ ଆକ୍ରମଣରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ୮୬ ବର୍ଷରେ ପ୍ରଥମ । ଶେଷ ଥର ପାଇଁ ୧୯୩୬ ମସିହାରେ କଙ୍ଗାରୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।