fbpx

ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ MDMAକୁ ଭଙ୍ଗ କଲେ ସରକାର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ବ୍ୟାପକ ଷଡଯନ୍ତ୍ରର ତଦନ୍ତ ପାଇଁ ଗଠିତ ହୋଇଥିଲା ବହୁବିଧ ନିରୀକ୍ଷଣ ଏଜେନ୍ସି(ଏମଡିଏମଏ)। ତେବେ ଏହି ୨୪ ବର୍ଷ ପୁରୁଣା ଏମଡିଏମ ଏଜେନ୍ସିକୁ ଭଙ୍ଗ କରିଛନ୍ତି ସରକାର। ମଙ୍ଗଳବାର ଅଧିକାରୀ ଏହାର ସୂଚନା ଦେଇଛନ୍ତି। ଏମଡିଏମଏ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଅନ୍ତର୍ଗତରେ କାମ କରୁଥିଲା। ଏଥିରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ଅଧିକାରୀ ବି ସାମିଲ୍ ଥିଲେ। ଏଜେନ୍ସିକୁ ଭଙ୍ଗ କରିବାର ଆଦେଶ ମେ ମାସରେ ଜାରି କରାଯାଇଥିଲା। ବାକି ଯାହା କିଛି ମାମଲାର ତଦନ୍ତଭାର ସିବିଆଇର ଅଲଗା ୟୁନିଟକୁ ପ୍ରଦାନ କରାଯାଇଛି।

ଏମସି ଜୈନ ଆୟୋଗଙ୍କ ସୁପାରିଶ କ୍ରମେ ୧୯୯୮ରେ ଦୁଇ ବର୍ଷ ପାଇଁ ଏମଡିଏମଏ ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଜେନ୍ସିର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ହେଲେ ଏଜେନ୍ସିକୁ ସେମିତି କୌଣସି ବଡ ଧରଣର ସଫଳତା ମିଳିପାରିନଥିଲା। ପୋଲିସ ଉପ ମହାନିରୀକ୍ଷକସ୍ତରୀୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏଜେନ୍ସି ବ୍ୟାଙ୍କିଂ ଲେଣଦେଣ ସହିତ ମାମଲାର ବିଭିନ୍ନ ଦିଗରେ ସୂଚନା ପାଇଁ ଶ୍ରୀଲଙ୍କା, ବ୍ରିଟେନ୍ ଏବଂ ମାଲେସିଆ ପରି ଦେଶକୁ ୨୪ ଅନୁରୋଧ ପତ୍ର ପଠାଇଥିଲେ।

ଉକ୍ତ ଦେଶଗୁଡିକ ୨୦ରୁ ଅଧିକ ଅନୁରୋଧପତ୍ର ଉପରେ ଜବାବ ଦେଇଥିଲେ ଏବଂ କିଛିଟା ବାକି ରହିଥିଲା। ତେବେ ତଦନ୍ତ ପ୍ରାୟତଃ ସଂପୂର୍ଣ୍ଣ ହୋଇଥିବା କୁହାଯାଉଛି। ଯାହା କିଛି ମାମଲାର ତଦନ୍ତ ପ୍ରକ୍ରିୟା ବାକି ରହିଛି ତାହା ସିବିଆଇର ଅନ୍ୟ ଏକ ୟୁନିଟକୁ ଦିଆଯାଇଛି। ସୂଚନାଯୋଗ୍ୟ, ୧୯୯୧ ମେ ୨୧ରେ ତାମିଲନାଡୁର ଶ୍ରୀପେରମ୍ଵୁଦୂରରେ ଏକ ନିର୍ବାଚନୀ ରାଲିରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଧନୁ ନାମକ ଏକ ଏଲଟିଟିର ଆତ୍ମଘାତୀ ଆକ୍ରମଣକାରୀ ରାଜୀବଙ୍କ ହତ୍ୟା କରିଥିଲା।

Get real time updates directly on you device, subscribe now.