fbpx

Cyclone Sitrang Update: ଗଭୀର ଅବପାତର ରୂପ ନେଲା ବାତ୍ୟା, ଆସନ୍ତା କାଲି ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟ ପାଇଁ ବିପଦ ହଟିଯାଇଥିବା ବେଳେ ଏବେ ରହିଛି କେବଳ ବର୍ଷା ଭୟ । ବଙ୍ଗୋପସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆଜି ତାହା ଅବପାତରେ ପରିଣତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ୨୦ କିମି ବେଗରେ ଗତି କରୁଥିବା ବେଳେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ । ପରବର୍ତ୍ତୀ ସମୟରେ ଏହା ଦିଗ ପରିବର୍ତ୍ତନ କରି ବାଂଲାଦେଶ ଆଡ଼କୁ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ବାତ୍ୟା ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ପବନଳର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିମି ରହିପାରେ । ପରେ ପବନର ବେଗ ୫୫ କିମିକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ବାତ୍ୟା ଓଡ଼ିଶାଠାରୁ ୫୦୦ କିମି ଦୂରରେ ରହିଛି । ଗତିପଥ ପରିବର୍ତ୍ତନ କରିବା ପରେ ଏହା ରାଜ୍ୟର ଉପକୂଳଠାରୁ ୨୦୦-୨୫୦ କିମି ଦୂରରେ ରହିବ । ଏହାଦ୍ୱାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହେବେ । ୨୫ ତାରିଖ ପରେ ବର୍ଷା ହ୍ରାସ ପାଇବ । ତେଣୁ ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀକୁ କୁହାଯାଇଛି । ଏଥିସହିତ ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକ ପାଇଁ ବିପଦ ସଙ୍କେତ ଜାରି କରାଯାଇଛି ।

Get real time updates directly on you device, subscribe now.