fbpx

ପୁଲଓ୍ଵାମା ଆକ୍ରମଣରେ ଉତ୍ସବ ମନାଇଥିଲେ ଛାତ୍ର, କୋର୍ଟ ଦେଲେ ୫ ବର୍ଷ ଜେଲଦଣ୍ଡ

ବେଙ୍ଗାଲୁରୁ: ଜାମ୍ମୁ-କାଶ୍ମୀରର ପୁଲଓ୍ଵାମାରରେ ୨୦୧୯ରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ। ତେବେ ଏଥିରେ ସଂପୃକ୍ତ ଆତଙ୍କବାଦୀଙ୍କ ପ୍ରଶଂସା କରି ସହିଦଙ୍କ ବଳିଦାନ ଉପରେ ଖୁସି ବ୍ୟକ୍ତ କରିବା ଜଣେ ଛାତ୍ରଙ୍କୁ ମହଙ୍ଗା ପଡିଛି। ବେଙ୍ଗାଲୁରୁର ଏକ ସ୍ଵତନ୍ତ୍ର ଅଦାଲତ ସୋମବାର ୨୩ ବର୍ଷୀୟ ଇଞ୍ଜିନିୟରଂ ଛାତ୍ରଙ୍କୁ ଫେସବୁକ୍ରେ ୨୦୧୯ ପୁଲଓ୍ଵାମା ହମଲାର ଉତ୍ସବ ପାଳନ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ପାଞ୍ଚ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି।

ଏନଆଇଏ ଏବଂ ୟୁଏପିଏ ଅଧିନିୟମ ପାଇଁ ରହିଥିବା ସ୍ଵତନ୍ତ୍ର ଅଦାଲତର ବିଚାରପତି ଗଙ୍ଗାଧର କହିଛନ୍ତି, ଯଦି ପୁଲଓ୍ଵାମା ଆକ୍ରମଣରେ ଉତ୍ସବ ପାଳନ କରିଥିବା ଦୋଷୀ ଜରିମାନା ଭରିବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ଆହୁରି ଛଅ ମାସ ଜେଲ୍ରେ କାଟିବାକୁ ପଡିବ। ଉକ୍ତ ଛାତ୍ର ହେଉଛନ୍ତି ବେଙ୍ଗାଲୁରୁର କଚରକନହଲ୍ଲୀ ନିବାସୀ ଫୈୟଜ ରଶିଦ।

ଅଭିଯୁକ୍ତଙ୍କ ଭଲ ଆଚରଣ ଏବଂ ବ୍ୟବହାର ଆଧାରରେ ମୁକ୍ତ କରିବା ଉପରେ ବିଚାର କରିବାକୁ ଓକିଲ ଅନୁରୋଧ କରିଥିଲେ। ତେବେ ଏହାକୁ ମନା କରି ସ୍ଵତନ୍ତ୍ର ଅଦାଲତର ବିଚାରପତି କହିଛନ୍ତି, ଅଭିଯୁକ୍ତ କୌଣସି ଅପାଠୁଆ କି ସାଧାରଣ ବ୍ୟକ୍ତି ନୁହେଁ। ଅପରାଧ କରିବା ସମୟରେ ସେ ଇଞ୍ଜିନିୟରିଂ ଛାତ୍ର ଥିଲା। ସେ ଜାଣିଶୁଣି ନିଜର ଫେସବୁକ ଆକାଉଣ୍ଟରେ ପୁଲଓ୍ଵାମା ଆକ୍ରମଣକୁ ନେଇ ଉତ୍ସବ ପାଳନ କରିଥିଲା। ପୁଲଓ୍ଵାମା ଆକ୍ରମଣରେ ସହିଦ ଯବାନଙ୍କ ମୃତ୍ୟୁରେ ଖୁସି ବ୍ୟକ୍ତ କରିଥିଲା। ତେଣୁ ଅଭିଯୁକ୍ତ ଦ୍ଵାରା ହୋଇଥିବା ଅପରାଧ ମହାନ ଦେଶ ବିରୋଧରେ ଜଘନ୍ୟ ଅପରାଧ।

Get real time updates directly on you device, subscribe now.