fbpx

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ସଞ୍ଜୟଙ୍କୁ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ସଞ୍ଜୟଙ୍କ ସହିତ ପ୍ରବୀଣଙ୍କୁ ମଧ୍ୟ ଜାମିନ୍ ମିଳିଛି । ପାତ୍ରା ଚୌଲ ଜମି ଘୋଟାଲା ମାମଲାରେ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଗତ ଅଗଷ୍ଟ ମାସରେ ଇଡି ସଞ୍ଜୟଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିବା ସହିତ ଗିରଫ କରିଥିଲା ।

ପାତ୍ରା ଚୌଲ ଜମି ଘୋଟାଲାରେ ୧,୦୩୯ କୋଟିର ହେରଫେର ହୋଇଥିଲା । ଏହି ମାମଲାରେ ଇଡି ପିଏମଏଲ କୋର୍ଟରେ ମାମଲା ଦାୟର କରିଥିଲା । ଏହାପରେ ସଞ୍ଜୟଙ୍କ ଘରୁ ଚଢ଼ାଉ ସମୟରେ ୧୧.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଗତ ଏପ୍ରିଲରେ ଇଡି ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତ ଓ ତାଙ୍କର ସମ୍ପର୍କୀୟଙ୍କଠାରୁ ମଧ୍ୟ ୧୧.୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ।

୨୦୧୮ରେ ମହାରାଷ୍ଟ୍ର ହାଉସିଂ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ଏମଏଚଏଡିଏ) ପକ୍ଷରୁ ପିଏମଏଲଏରେ ମାମଲା ଦାୟର ହୋଇଥିଲା । ସେଥିରେ ରାକେଶ କୁମାର ବଧାବନ, ସାରଙ୍ଗ କୁମାର ବଧାବନ ଓ ଅନ୍ୟମାନଙ୍କ ଉପରେ କେସ ଦାୟର ହୋଇଥିଲା । ଇଡି ମୁତାବକ, ପାତ୍ରା ଚୌଲ କନଷ୍ଟ୍ରକସନକୁ ପୁନଃ ବିକଶିତ କରିବା ଦାୟିତ୍ୱ ଗୁରୁ ଆଶିଷ କନଷ୍ଟ୍ରକସନକୁ ଦିଆଯାଇଥିଲା । ଏମଏଚଏଡିଏ ଏହି କାର୍ଯ୍ୟ ସମର୍ପଣ କରିଥିଲା । କନଷ୍ଟ୍ରକସନ କମ୍ପାନୀକୁ ପାତ୍ରା ଚୌଲର ୬୭୨ ଭଡ଼ା ଘରକୁ ପୁନଃ ବିକଶିତ କରିବାର ଥିଲା ।

Get real time updates directly on you device, subscribe now.