fbpx

ରାଜଧାନୀରେ ମାତିଛନ୍ତି ଅଣଓଡ଼ିଆ ଯାଯାବର ଗୋଷ୍ଠୀ: ଘରେ ପଶି ସୁନା ଗହଣା ଲୁଟି ନେଉଛି ଜରି ଗୋଟାଳି, ଫେରିବାଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଢ଼ିବାରେ ଲାଗିଛି ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ । ଦିନ ଦ୍ୱିପ୍ରହରରେ ସୁବିଧା ସୁଯୋଗ ଦେଖି ଘରେ ପଶି ଯାଉଛନ୍ତି ମହିଳା ଲୁଟେରା । ଏମାନେ ମାସେ ଦୁଇ ମାସ, ବର୍ଷେ ଦୁଇ ବର୍ଷର ଛୋଟ ପିଲାଙ୍କୁ କୋଳରେ ଧରି ଭିକ୍ଷା ବୃତ୍ତି କରୁଛନ୍ତି । ଭିକ୍ଷାବୃତ୍ତି କେବଳ ଏକ ବାହାନା, ଚୋରି କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ରାଜଧାନୀର ଅନେକ ଟ୍ରାଫିକ ଛକ ଓ କଲୋନୀରେ ଫେରିବାଲା ବେଶଧାରୀ କିଛି ମହିଳା ବୁଲୁଥିବାର ଦେଖାଯାଉଛି ।

ତେବେ ଏହି ଛଦ୍ମବେଶୀ ମହିଳାମାନଙ୍କୁ ଠାରୁ ସତର୍କ ରହିବାକୁ ଅନୁରୋଧ କରାଯାଉଛି । ଏହି ଫେରିବାଲା ମହିଳାମାନେ ସହରର ଗଳିକନ୍ଦିରେ ବୁଲୁଛନ୍ତି ଆଉ ସୁବିଧା ସୁଯୋଗ ଦେଖି ଘରେ ସବୁ କଳାକନା ବୁଲାଇ ଦେଉଛନ୍ତି । ଅନେକ ଲୋକ ଏଭଳି ମିଳମୁଣ୍ଡିଆ, ଅସନା ମହିଳାଙ୍କୁ ଦେଖି ଦୟା ପ୍ରଦର୍ଶନ କରିଥାନ୍ତି । ମାତ୍ର ସେମାନେ ଦୟାର ପାତ୍ର ନୁହନ୍ତି, ଦଣ୍ଡର ପାତ୍ର । ସୁଯୋଗ ମିଳିବା ମାତ୍ରେ ଏମାନେ ଝାମ୍ପ ମାଡ଼ିବାକୁ ପଛାଉ ନାହାନ୍ତି ।

ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ ଲୁଟିବା ଅଭିଯୋଗରେ ଦୁଇଜଣ ଅଣଓଡ଼ିଆ ମହିଳା ଫେରିବାଲାଙ୍କୁ ପୋଲିସ ଗିରଫ କରିଛି । ଏହି ମହିଳାମାନେ ନିଜର ଛୋଟ ଛୋଟ ଛୁଆଙ୍କୁ ଧରି ରାସ୍ତାରେ ଯିବା ସମୟରେ ଏଣେତେଣ ନଜର କରୁଥାନ୍ତି । ଯେଉଁ ଘରେ କେହି ନଥିବାର ସୁଯୋଗ ପାଆନ୍ତି, ସେଠାରୁ ଲୁଟ୍ କରିବାକୁ ପଛାନ୍ତି ନାହିଁ । ଏମାନେ ରେଳ ଷ୍ଟେସନ ନିକଟରେ ଯାଯାବରଙ୍କ ଭଳି ଭିକ୍ଷାବୃତ୍ତି କରୁଥାନ୍ତି । ଜରି ଗୋଟାଳି, ଫେରିବାଲା ସାଜିଥିବା ଏପରି କିଛି ଗୋଷ୍ଠୀଙ୍କୁ ନିକଟରେ କମିସନରେଟ୍ ପୋଲିସ ମଧ୍ୟ ଗିରଫ କରିଥିଲା । ତେଣୁ ଏଥିପ୍ରତି ସତର୍କ ରହିବାକୁ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରାଯାଉଛି ।

Get real time updates directly on you device, subscribe now.