fbpx

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP, ୧୪ରେ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । ଆସନ୍ତା ୧୭ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ନଭେମ୍ବର ୨୧ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ଏହା ମଧ୍ୟରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି । ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯିବ । ଆସନ୍ତା ପଦ୍ମପୁର ନିର୍ବାଚନରେ ଶାସକ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ନିର୍ବାଚନୀ ମୈଦାନରେ ଲଢ଼େଇ କରିବେ ପ୍ରଦୀପ । ପ୍ରଦୀପ ବିଜେପି ପ୍ରାର୍ଥୀ ହେବା ନେଇ ସୂଚନା ଦେଇଛନ୍ତି ଦଳୀୟ ନେତ୍ରୀ କୁସୁମ ଟେଟେ । ସେହିପରି ଆସନ୍ତା ୧୪ ତାରିଖରେ ବିଜେପି ପ୍ରାର୍ଥୀ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ତେବେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରଥମ ଦଳ ଭାବେ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅନ୍ୟପକ୍ଷରେ ଶାସକ ବିଜେଡି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ପୂର୍ବତନ ବିଧାୟକ ପ୍ରଦୀପଙ୍କ ପ୍ରାର୍ଥୀତ୍ୱ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । ନିକଟରେ ସମାପ୍ତ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେପି ବାଜିମାତ କରିଥିବାରୁ ଦଳ ଏବେ ଉତ୍ସାହିତ ରହିଛି । ଅନ୍ୟପକ୍ଷରେ ବିଜେଡି ଏହି ସିଟରେ ଜିତି ନିଜ ଦୁର୍ଗ ବଜାୟ ରଖିବାକୁ ପ୍ରୟାସ କରିବ । ବିଜେଡିର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଦେହାନ୍ତ ପରେ ଏହି ସିଟଟି ଖାଲି ପଡ଼ିଥିଲା ।

Get real time updates directly on you device, subscribe now.