ନୂଆଦିଲ୍ଲୀ :କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମଧ୍ୟରେ ମତଭେଦ ଏବଂ ବିବାଦ କିଛି ନୂଆ କଥା ନୁହେଁ। କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆସିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ସହିତ ବିବାଦ ଅଧିକ ବଢି ଯାଇଛି। ବିବାଦର ମୂଳ କାରଣ ଆରବିଆଇ ଦେଶର ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିଜର ନୀତି ଲାଗୁ କରିବାକୁ ଚାହୁଁଥିବା ବେଳେ କେନ୍ଦ୍ର ସରକାର ନିଜର ଯୋଜନାର ସଫଳ ରୂପାୟନ ପାଇଁ ନିଜର ନୀତି ଲାଗୁ କରିବାକୁ ଚାହୁଁଛନ୍ତି। ଫଳରେ ବେଳେ ବେଳେ ଆରବିଆଇକୁ କେନ୍ଦ୍ର ସରକାରଙ୍କ ନିକଟରେ ନଇଁବାକୁ ପଡିଥାଏ।ତେବେ ଏମିତି କିଛି ଆରବିଆଇ ଗଭର୍ଣ୍ଣର ଅଛନ୍ତି ଯିଏ ସରକାରଙ୍କ ଇସାରାରେ କାମ କରିବା ପରିବର୍ତ୍ତେ ଗଭର୍ଣ୍ଣର ପଦରୁ ଅବ୍ୟାହିତ ନେବାକୁ ଶ୍ରେୟ ମଣିଛନ୍ତି। ଏମିତି ଦୁଇ ଗଭର୍ଣ୍ଣର ହେଉଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏବଂ ଉର୍ଜିତ ପଟେଲ୍।
ବିଶେଷ କରି ଆରବିଆଇ ଆକ୍ଟରେ ସେକ୍ସନ ୭ ଲାଗୁ କରିବା ନେଇ କେନ୍ଦ୍ର ସରକାର ଏବଂ ଆରବିଆଇ ମଧ୍ୟରେ ମତଭେଦ ବଢିଥିଲା। ଏଠାରେ କହି ରଖୁଛୁ ଯେ, ଧାରା ୭ ଲାଗୁ ହେବା ପରେ ସରକାର ପ୍ରତିଟି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ ପାରିବେ ଏବଂ ଆରବିଆଇକୁ ଏହା ମାନିବାକୁ ପଡିବ। ଧାରା ୭ର ଦୁଇଟି ଭାଗ ରହିଛି। ପ୍ରଥମ ବିଚାର-ବିମର୍ଶ କରିବା ଏବଂ ଦ୍ଵିତୀୟ ନିର୍ଦ୍ଦେଶ ଦେବା। ଏହାର ଅର୍ଥ ଧାରା ୭ ଲାଗୁ ହେଲେ ସରକାର ଆରବିଆଇକୁ ଚଲାଇବେ। ଏମିତିରେ ଆରବିଆଇ ଏକ ସ୍ଵାୟତ୍ତ ସଂସ୍ଥା। ସରକାରଙ୍କଠୁ ଭିନ୍ନ ନିଷ୍ପତ୍ତି ନେବାକୁ ସ୍ଵତନ୍ତ୍ର। କିଛି ନିର୍ଦ୍ଧାରିତ ସ୍ଥିତିରେ ହିଁ ଆରବିଆଇ ସରକାରଙ୍କ ନିର୍ଦ୍ଦେଶ ଶୁଣିଥାନ୍ତି।
କେମିତି ଫାଟ ସୃଷ୍ଟି ହେଲା
ସରକାର ଏବଂ ଆରବିଆଇ ମଧ୍ୟରେ ବିବାଦ ତେବେ ସାମ୍ନାକୁ ଆସିଲା ଯେବେ ଆରବିଆଇର ଡେପୁଟୀ ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ନିଜ ବୟାନରେ ରିଜର୍ଭ ବ୍ୟାଙ୍କର ସ୍ଵାୟତ୍ତକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ସରକାରଙ୍କୁ ଆରବିଆଇର ସ୍ଵାଧୀନତାକୁ ସମ୍ମାନ ଦେବା ଉଚିତ୍। ଯଦି ସରକାର ଏମିତି ନକରନ୍ତି ତେବେ ବଜାରରେ ଅସନ୍ତୋଷର ସାମ୍ନା କରିବାକୁ ପଡିବ।
ରିଜର୍ଭ ବ୍ୟାଙ୍କ ଏବଂ ସରକାରଙ୍କ ମଧ୍ୟରେ ମତଭେଦ
କେନ୍ଦ୍ର ସରକାର ୨୦୧୪ ପର୍ଯ୍ୟନ୍ତ ଦେଇଥିବା ଆଖିବୁଜା ଋଣ କାରଣରୁ ଆରବିଆଇ ଅସନ୍ତୋଷ ପ୍ରକାଶ କରିଥିଲା। କେନ୍ଦ୍ର ସରକାର ଚାହୁଁଥିଲେ ଯେ, ୟସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଇକ୍ଵିଟାସ୍ ଉଜ୍ଜୀବନ ପରି କମ୍ପାନି ଉପରେ ଆରବିଆଇ ସେତେଟା କଡା ଆଭିମୁଖ୍ୟ ପୋଷଣ ନକରୁ। ସରକାର ଚାହୁଁଥିଲେ, ପାଓ୍ଵାର କମ୍ପାନିର ଲୋନକୁ ଏନପିଏ ଘୋଷିତ କରିବାରେ କିଛିଟା କୋହଳ କରାଯାଉ। କିନ୍ତୁ ଆରବିଆଇ ସରକାରଙ୍କ ଏମିତି ନିଷ୍ପତ୍ତି ପକ୍ଷରେ ନଥିଲେ। ସରକାର ଏହା ଚାହୁଁଥିଲେ ଯେ, ହ୍ରାସ ପାଉଥିବା ଟଙ୍କାର ବିନିମୟ ମୂଲ୍ୟ ରୋକିବା ପାଇଁ ଆରବିଆଇ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉ।
ଆରବିଆଇ ବନାମ ମୋଦୀ ସରକାର
ସରକାର ଏବଂ ଆରବିଆଇ ମଧ୍ୟରେ ବିବାଦ ନୂତନ କଥା ନୁହେଁ। ପୂର୍ବରୁ ବି ଅନେକ ସମୟରେ ମତଭେଦ ହୋଇଛି। ସାଧାରଣତଃ ସୁଧ ଦର, ବ୍ୟାଙ୍କିଙ୍ଗ ନିୟମରେ ସରଳତା ଏବଂ ପରିଚାଳନାକୁ ନେଇ ସରକାର ଏବଂ ଆରବିଆଇ ମଧ୍ୟରେ ଭିନ୍ନ ଭିନ୍ନ ବିଚାର ରହି ଆସିଛି। କିନ୍ତୁ ଶେଷରେ ଏମିତି ସମସ୍ୟାର ସମାଧାନ ହୋଇଯାଏ।
ପୂର୍ବତନ ଗଭର୍ଣ୍ଣର ରାଜନ ଏବଂ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି
କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ବିରୋଧ କରିଥିଲେ ଆରବିଆଇର ୨୩ତମ ଗଭର୍ଣ୍ଣର ରଘୁରାମ ରାଜନ। ସେ ଆରବିଆଇକୁ ସ୍ଵାଧୀନ ଏବଂ ନିରପକ୍ଷେ ସଂସ୍ଥା ଭାବେ କାମ କରିବା ଉପରେ ଜୋର ଦେଉଥିଲେ। ସେଥିପାଇଁ ତାଙ୍କର ଏବଂ ମୋଦୀ ସରକାର ମଧ୍ୟରେ ମତଭେଦ ତୀବ୍ର ହୋଇଥିବା କୁହାଯାଏ। ଅର୍ଥ ମନ୍ତ୍ରଣାଳୟ, ପଟେଲ୍ରେ ପାଓ୍ଵାର ଏନପିଏକୁ ଆଶ୍ଵସ୍ତି, ବ୍ୟାଙ୍କଗୁଡିକରେ ପିସିଏ, ଏନବିଏଫସି କମ୍ପାନିରେ ନଗଦ ସଙ୍କଟ ଏବଂ ଆରବିଆଇଠୁ ଅଲଗା ସ୍ଵତନ୍ତ୍ର ପୈଠ ଆଦି ପ୍ରସଙ୍ଗରେ ସରକାରଙ୍କ ସହ ଏକମତ ନଥିଲେ ରଘୁରାମ ରାଜନ। ଏପରିକି ଏନପିଏ, ମ୍ୟାନେଜମେଣ୍ଟ ଏବଂ ନୋଟ୍ବନ୍ଦୀ ପରି ପ୍ରସଙ୍ଗ ସାମିଲ୍। ରାଜନ ଗଭର୍ଣ୍ଣର ଥିବା ସମୟରେ ନୋଟବନ୍ଦୀକୁ ଲାଗୁ କରିବା ପକ୍ଷରେ ନଥିଲେ। କିନ୍ତୁ ସରକାର ଏହାକୁ ଲାଗୁ କରିଥିଲେ। ଏହାକୁ ନେଇ ତାଙ୍କର ଏବଂ ସରକାରଙ୍କ ମଧ୍ୟରେ ମତଭେଦ ଆହୁରି ବଢି ଯାଇଥିଲା। ଫଳରେ ଆରବିଆଇ ଗଭର୍ଣ୍ଣର ହିସାବରେ ନିଜର ପ୍ରଥମ କାର୍ଯ୍ୟକାଳ ସରିବା ପରେ ରଘୁରାମ ରାଜନ ଦ୍ଵିତୀୟ ଥର ଗଭର୍ଣ୍ଣର ଦାୟିତ୍ଵ ସମ୍ଭାଳିବାକୁ ସିଧାସଳଖ ମନା କରି ଦେଇଥିଲେ। ସେ ମୋଦୀ ସରକାରଙ୍କ ନୀତିକୁ ଲାଗୁ କରିବାକୁ ଚାହୁଁନଥିଲେ। ରାଜନ ୨୦୧୩ ସେପ୍ଟେମ୍ବରରୁ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଗଭର୍ଣ୍ଣର ଦାୟିତ୍ଵରେ ଥିଲେ।
ଉର୍ଜିତ ପଟେଲ୍ ଏବଂ ମୋଦୀ ସରକାର
ରଘୁରାମ ରାଜନଙ୍କ ପରି ଆରବିଆଇର ୨୪ତମ ଗଭର୍ଣ୍ଣର ଉର୍ଜିତ ପଟେଲ୍ ମଧ୍ୟ ମୋଦୀ ସରକାରଙ୍କ କାମରେ ସନ୍ତୁଷ୍ଟ ନଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ସ୍ଵାୟତ୍ତକୁ ନେଇ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। କାର୍ଯ୍ୟକାଳ ସରିବା ପୂର୍ବରୁ ହିଁ ଉର୍ଜିତ ପଟେଲ୍ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ପଟେଲଙ୍କ କାର୍ଯ୍ୟକାଳ ୨୦୧୯ ସେପ୍ଟେମ୍ବରରେ ପୂରା ହେବାର ଥିଲା।ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦର ମୂଳ କାରଣ କେନ୍ଦ୍ର ସରକାର ଚାହୁଁଥିଲେ ଆରବିଆଇର ସଂରକ୍ଷିତ ଥିବା ମୋଟା ଅଙ୍କର ରାଶିକୁ ସରକାରଙ୍କୁ ହସ୍ତାନ୍ତର କରାଯାଉ ଏବଂ ବଜାରର ସ୍ଥିତିକୁ ନିୟନ୍ତ୍ରଣ କରାଯାଉ।
କାହିଁକି ପଦ ଛାଡିଲେ ଉର୍ଜିତ ପଟେଲ୍
– ରିଜର୍ଭ ବ୍ୟାଙ୍କ ଆକ୍ଟର ସେକ୍ସନ-୭ ଆଧାରରେ କେନ୍ଦ୍ର ସରକାର ପଟେଲ୍ଙ୍କ ଉପରେ ନିଜର କଥା ମାନିବାକୁ ଚାପ ପକାଉଥିଲେ।
– ରିଜର୍ଭ ବ୍ୟାଙ୍କରୁ ମୋଦୀ ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା କାଢିବାକୁ ଚାହୁଁଥିଲେ।
– ଏନବିଏଫସି ଏବଂ କ୍ଷୁଦ୍ର ଶିଳ୍ପକୁ ସହଜରେ ଋଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରବିଆଇ ଉପରେ ଚାପ ପଡିବାରେ ଲାଗିଥିଲା।
– ଆରବିଆଇ ବୋର୍ଡର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ବୋର୍ଡ ରିଜର୍ଭ ବ୍ୟାଙ୍କର ଅଧିକାରକୁ ହ୍ରାସ କରିବାକୁ ଚାହୁଁଥିଲେ।
ଏବେ କଣ କରୁଛନ୍ତି ପୂର୍ବତନRBI ଗଭର୍ଣ୍ଣର:
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ୨୦୧୬ ସେପ୍ଟେମ୍ବର ମାସରେ ନିଜ କାର୍ଯ୍ୟକାଳ ସରିବା ପରେ ପଦରୁ ଅବ୍ୟାହିତ ନେଇଥିଲେ। ସେ ଦ୍ଵିତୀୟ ଥର ଆରବିଆଇ ଗଭର୍ଣ୍ଣର ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରମୁଖ ଆର୍ଥିକ ପରାମର୍ଶଦାତା ରହିଥିବା ରାଜନ ବର୍ତ୍ତମାନ ଆମେରିକାନ ଏକାଡେମୀ ଅଫ ଆର୍ଟ୍ସ ଆଣ୍ଡ ସାଇନ୍ସ ର ସଦସ୍ୟ ଅଛନ୍ତି। ସେ ଆରବିଆଇର ଗଭର୍ଣ୍ଣର ପଦ ଗ୍ରହଣ କରିବା ପୂର୍ବରୁ ମାସାଚୁସେଟସ ଅଫ ଟେକ୍ନୋଲୋଜିର ଅର୍ଥଶାସ୍ତ୍ର ବିଭାଗ, ସ୍ଲୋନ ସ୍କୁଲ ଅଫ ମ୍ୟାନେଜମେଣ୍ଟ ନର୍ଥ ଓ୍ଵେଷ୍ଟର୍ଣ୍ଣ ୟୁନିଭର୍ସିଟିର କ୍ୟାଲଗ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଏବଂ ଷ୍ଟକହମ ସ୍କୁଲ ଅଫ ଇକୋନୋମିକ୍ସରେ ଅତିଥି ପ୍ରଫେସର ଭାବେ ରହିଥିଲେ।
ଦେଶର ୨୪ତମ ଆରବିଆଇ ଗଭର୍ଣ୍ଣର ଥିବା ଉର୍ଜିତ ପଟେଲ୍ ରୁଘରାମ ରାଜନଙ୍କ ପରି ବିବାଦୀୟ ସ୍ଥିତିରେ ଗଭର୍ଣ୍ଣର ପଦ ଛାଡିଥିଲେ। ନିଜ କାର୍ଯ୍ୟକାଳ ସରିବା ପୂର୍ବରୁ ସେ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ସେ ବେଜିଂ ସ୍ଥିତ ବହୁପକ୍ଷୀୟ ବିତ୍ତପୋଷଣ ସଂସ୍ଥା ଏସୀୟ ଅବସରଞ୍ଚନା ନିବେଶ ବ୍ୟାଙ୍କ(ଏଆଇଆଇବି)ର ଉପାଧ୍ୟକ୍ଷ ପଦରେ କାର୍ଯ୍ୟରତ ଅଛନ୍ତି। ଏହି ପଦରେ ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ରହିଛି। ସେ ଏଆଇଆଇବିର ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଉପାଧ୍ୟକ୍ଷ।