CHARIDHAM

ଆଜିଠୁ ଆରମ୍ଭ ଫୁଟବଲ ମହାକୁମ୍ଭ,ଉଦ୍‌ଘାଟନୀ ଉତ୍ସବରେ ସଂଗୀତ ପରିବେଷଣ କରିବେ BTS ସଦସ୍ୟ JungKook

ଦୋହା : ଆଜି ଆରମ୍ଭ ହେଉଛି ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ । କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଏଥିପୂର୍ବରୁ ସନ୍ଧ୍ୟା ସାଢେ ୭ଟାରୁ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ। ପୂର୍ବରୁ ଉଦ୍‌ଘାଟନୀ ଉତ୍ସବକୁ ଗୋଟିଏ ଦିନ ଆଗରୁ କରିବା ପାଇଁ ଚିନ୍ତା କରାଯାଇଥିଲା। କିନ୍ତୁ ପରେ ଏହାକୁ ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଆୟୋଜନ କରିବାକୁ ସ୍ଥିର କରାଯାଇଛି।

ଏହି ସଂସ୍କରଣରେ ପୂର୍ବ ବିଜେତା ଫ୍ରାନ୍ସ ସହିତ ୩୨ ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସମସ୍ତ ଦଳଙ୍କୁ ନେଇ ୮ ଗ୍ରୁପ୍‌ରେ ବଣ୍ଟାଯାଇଛି। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଡିସେମ୍ବର ୩ ତାରିଖରୁ ନକ୍‌ଆଉଟ୍‌ ପର୍ଯ୍ୟାୟ ଆରମ୍ଭ ହୋଇ ୧୮ ତାରିଖରେ ଫାଇନାଲ୍‌ ଅନୁଷ୍ଠିତ ହେବ।

୨୯ ଦିନିଆ ଏହି ଫୁଟ୍‌ବଲ୍ ମହାକୁମ୍ଭରେ ମୋଟ ୬୪ ମ୍ୟାଚ୍‌ ଖେଳାଯିବା ପରେ ବିଶ୍ବ ବିଜେତା ନିର୍ଣ୍ଣୟ ହେବ। ଚଳିତ ବର୍ଷ ବିଶ୍ବକପ୍‌ ୮ ଷ୍ଟାଡିୟମ୍‌ରେ ଖେଳାଯିବ। ଲୁସିଆଲ୍‌ ଆଇକନିକ୍‌ ଷ୍ଟାଡିୟମ୍‌, ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌, ଷ୍ଟାଡିୟମ୍‌ ୯୭୪, ଅଲ୍‌ ଥୁମାମା ଷ୍ଟାଡିୟମ୍‌, ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌, ଏଜୁକେସନ୍‌ ସିଟି ଷ୍ଟାଡିୟମ୍‌, ଅହମ୍ମଦ ବିନ୍‌ ଅଲୀ ଷ୍ଟାଡିୟମ୍‌, ଅଲ୍‌ ଜାନବ ଷ୍ଟାଡିୟମ୍‌ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ।

ଅନ୍ୟପକ୍ଷରେ ଉଦ୍‌ଘାଟନୀ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ ପାଇଁ କଳାକାରମାନଙ୍କ ନାମକୁ ଫିଫା ପକ୍ଷରୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ତଥାପି ଦକ୍ଷିଣ କୋରିଆର ରକ୍‌ ବ୍ୟାଣ୍ଡ୍‌ ବିଟିଏସ୍‌ର ୭ ସଦସ୍ୟଙ୍କ ମଧ୍ୟରୁ ଜଣେ ଜଙ୍ଗ କୁକ୍‌ ‘ଡ୍ରିମର୍ସ’ ଟ୍ରାକ୍‌ରେ ସଂଗୀତ ପରିବେଷଣ କରିବାକୁ ଯାଉଥିବା ଜଣାପଡ଼ିଛି। ଏହା ସହିତ ଅନ୍ୟ କଳାକାର ମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହେବେ ।

ସୂଚନାମୁତାବକ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଧ୍ୟ କାତାରରେ ହେବାକୁ ଥିବା ଫିଫା ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ। ଉଦ୍‌ଘାଟନୀ ସମାରାହରେ ସାମିଲ ହେବା ସହ କାତାରରେ ଥିବା ପ୍ରବାସୀ ଭାରତୀୟଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।