fbpx

UGC ଲାଗୁ କରିବ ୪ ବର୍ଷିଆ ସ୍ନାତକ କୋର୍ସ: ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ହେବ ଲାଗୁ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ନୂଆ ନିୟମ ଲାଗୁ କରିବାକୁ ଯାଉଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଆସନ୍ତା ଶିକ୍ଷା ବର୍ଷ ୨୦୨୩-୨୪ ଠାରୁ ଲାଗୁ ହେବାକୁ ଯାଉଛି ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ । ପ୍ରଥମେ ଦେଶର ସମସ୍ତ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ସମୟରେ ରାଜ୍ୟ ତଥା ଘରୋଇ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

ତେବେ ୟୁଜିସି ପକ୍ଷରୁ ଏହି ନୂଆ ନିୟମ ଲାଗୁ ହେବା ଫଳରେ ଆଗାମୀ ଦିନମାନଙ୍କରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରୁ ଏହି କୋର୍ସରେ ନାମଲେଖା ଆରମ୍ଭ ହେବ । ମାତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ହେବ ନାହିଁ ବୋଲି ଜଣାପଡ଼ିଛି । ଏଥିସହିତ ଡିମଡ୍ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହି କୋର୍ସ ଲାଗୁ କରାଯିବ ।

ଯେଉଁ ଛାତ୍ରଛାତ୍ରମାନେ ଚଳିତ ବର୍ଷ ତିନିବର୍ଷିଆ ସ୍ନାତକ କୋର୍ସରେ ନାମ ଲେଖାଇଛନ୍ତି, ସେମାନେ ଆସନ୍ତାବର୍ଷଠାରୁ ଚାରି ବର୍ଷିଆ ଡିଗ୍ରୀ କୋର୍ସରେ ପ୍ରବେଶ ନେଇ ସୁଯୋଗ ପାଇପାରିବେ । ଏଥିସହିତ ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ଇଚ୍ଛାକଲେ ଏହି ନୂଆ କୋର୍ସରେ ପଞ୍ଜିକୃତ ହୋଇପାରିବେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ୪ ବର୍ଷିଆ କୋର୍ସରେ ପ୍ରବେଶ ନେଇ ସୁଯୋଗ ମିଳିବ, ମାତ୍ର ବାଧ୍ୟତାମୂଳକ କରାଯିବ ନାହିଁ । ନୂଆ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଏହି ସବୁ ପରିବର୍ତ୍ତନ କରାଯାଉଥିବା ନେଇ ୟୁଜିସି ଅଧ୍ୟକ୍ଷ ଏମ.ଜଗଦୀଶ କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.