fbpx

ଗ୍ରାମବାସୀ ଏବଂ ରେଞ୍ଜ ଅଧିକାରୀ ମୁହାଁମୁହିଁ; ୩ ଗୁରୁତର ୪ ନିଖୋଜ ଉଦ୍ଧାର

କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଗ୍ରାମବାସୀ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାମୁହିଁ ହୋଇଛି । ଫଳରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ତେଣୁ ବନ୍ୟପ୍ରାଣୀ ରେଞ୍ଜ ଅଧିିକାରୀଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ସେହିପରି ଅନ୍ୟ ଦୁଇ କର୍ମଚାରୀ କରଞ୍ଜିଆ ମେଡିକାଲରେ ଭର୍ତ୍ତି ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଏଦେଲବେଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗ୍ରାମରେ କରଞ୍ଜିଆ ବନଖଣ୍ଡର କର୍ମଚାରୀ ମାନେ କୌଣସି କାରଣରୁ ଅତର୍କିତ ଚଢାଉ କରିଥିଲେ । ଫଳରେ ଗ୍ରାମବାସୀମାନେ ରାଗିଯାଇ ବନକର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସେଠାରେ ତାଙ୍କୁ ଅଟକ ରଖିଥିଲେ । ତେବେ ଏହି ଆକ୍ରମଣରେ ୩ ଜଣ ବନକର୍ମଚାରୀ ଗୁରୁତର ଆହତ ହେବା ସହ ଅନ୍ୟ ୪ ଜଣ ବନକର୍ମଚାରୀ ନିଖୋଜ ଥିଲେ । ତେବେ ବିଳମ୍ବିତ ରାତିରେ ସେମାନେ ଉଦ୍ଧାର ହୋଇଥିବା ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ତେବେ ବନକର୍ମଚାରୀ କେଉଁ କାରଣରୁ ଏଦେଲବେଡା ଗାଁରେ ଅତର୍କିତ ଚଢାଉ କରିଥିଲେ ଏବଂ କେଉଁ କାରଣରୁ ଗ୍ରାମବାସୀ ଓ ବନକର୍ମଚାରୀ ମୁହାଁ ମୁହିଁ ହୋଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ଏଥିସହିତ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.