fbpx

MCD ନିର୍ବାଚନରେ ୫୦ ପ୍ରତିଶତ ମତଦାନ, ଡିସେମ୍ବର ୭ରେ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ଆଜି ମତଦାନ ସମାପ୍ତ ହୋଇଛି । ସନ୍ଧ୍ୟା ୫.୩୦ ସୁଦ୍ଧା ମୋଟ ୫୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ମୋଟ ୨୫୦ଟି ସିଟ ପାଇଁ ୧୩,୬୩୮ଟି ପୋଲିଂ କେନ୍ଦ୍ରରେ ଭୋଟରମାନେ ନିଜ ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଏବେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମଧ୍ୟରେ ବନ୍ଦ ହୋଇ ରହିଛି ।

ଆଜି ସକାଳେ ଭୋଟରଙ୍କ ମଧ୍ୟରେ କମ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଭୋଟରମାନେ ଦ୍ୱିପ୍ରହର ପରେ ବୁଥକୁ ମତଦାନ କରିବାକୁ ଯାଇଥିଲେ । ଏଥର ଏମସିଡି ନିର୍ବାଚନରେ ବିଜେପି, ଆମ୍ ଆଦମୀ ପାର୍ଟି (ଆପ) ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିଲା । ପିଙ୍କ ବୁଥ ଓ ଆଦର୍ଶ ମତଦାନ କେନ୍ଦ୍ରରେ ଛୋଟ ପିଲାଙ୍କୁ ଦେଖାଶୁଣା କରାଯିବା ସହ ସେଲଫି ପଏଣ୍ଟ, ଲାଉଞ୍ଜ ମାଧ୍ୟମରେ ମତଦାତାଙ୍କୁ ସ୍ୱାଗତ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ତରଫରୁ ୬୮ଟି ପିଙ୍କ ବୁଥ ସ୍ଥାପନ କରାଯାଇଥିଲା । ଗତ ୨୦୧୭ ଏମସିଡି ନିର୍ବାଚନରେ ୫୩.୫୫ ପ୍ରତିଶତ ମତଦାନ ହୋଇଥିଲା ।

ତେବେ ଆଜି ଦିଲ୍ଲୀ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅନିଲ କୁମାରଙ୍କ ନାମ ଭୋଟର ଲିଷ୍ଟରେ ନଥିବାରୁ ସେ ମତଦାନରୁ ବଞ୍ଚିତ ହୋଇଥିଲେ । ସେହିପରି ଉତ୍ତର-ପୂର୍ବ ଦିଲ୍ଲୀ ନିର୍ବାଚନ କ୍ଷେତ୍ରର ମୌଜପୁର ଓ ଯମୁନା ବିହାର ଅଞ୍ଚଳର ଶହ ଶହ ମତଦାତାଙ୍କ ନାମ ଲିଷ୍ଟରୁ ହଟାଇ ଦିଆଯାଇଥିବା ନେଇ ଆପ ବିରୋଧରେ ବିଜେପି ସାଂସଦ ମନୋଜ ତିୱାରୀ ଅଭିଯୋଗ କରିଥିଲେ । ଏନେଇ ମନୋଜ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ସହ ଆବଶ୍ୟକ ପଡ଼ିଲେ ନିର୍ବାଚନ ରଦ୍ଦ କରିବାକୁ ଦାବି କରିବେ ବୋଲି ମିଡ଼ିଆକୁ କହିଛନ୍ତି ।

Get real time updates directly on you device, subscribe now.