CHARIDHAM

ସାରା ଦେଶରେ ରହିଛନ୍ତି ୪୦୩୩ ଜଣ ବିଧାୟକ: କେଉଁ ଦଳରୁ କେତେ ଜଣ, ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ନିକଟରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଏହି ରେଜଲ୍ଟ ପ୍ରକାଶ ପରେ ବିଜେପି, ଆମ୍ ଆଦମୀ ପାର୍ଟି (ଆପ) ପରି କିଛି ରାଜନୈତିକ ଦଳର ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ବିଧାୟକ ସଂଖ୍ୟା ହ୍ରାସ ପାଇଛି । ଦେଶରେ ବର୍ତ୍ତମାନ ବିଜେପି ପାଖରେ ସବୁଠାରୁ ବେଶି ବିଧାୟକ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ ।

ତଥ୍ୟ ମୁତାବକ, ୨୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀ ଓ ପୁଡ଼ୁଚେରୀକୁ ମିଶାଇ ସାରା ଦେଶରେ ମୋଟ ୪୦୩୩ ଜଣ ବିଧାୟକ ରହିଛନ୍ତି । ବିଜେପି ପାଖରେ ସର୍ବାଧିକ ୧୩୭୦ ଜଣ, କଂଗ୍ରେସ ପାଖରେ ୭୭୧, ତୃଣମୂଳକ କଂଗ୍ରେସ ପାଖରେ ୨୧୫ ଜଣ, ଆପ ପାଖରେ ୧୬୧ ଜଣ, ୱାଇଏସଏସଆରସିପି ପାଖରେ ୧୫୧ ଜଣ, ଡିଏମକେ ପାଖରେ ୧୩୩ ଜଣ, ସମାଜବାଦୀ ପାର୍ଟି ପାଖରେ ୧୧୩ ଜଣ, ବିଜେଡି ପାକରେ ୧୧୨ ଜଣ, ସିପିଆଇ(ଏମ) ପାଖରେ ୮୯ ଜଣ, ଟିଆରଏସ ପାଖରେ ୮୮ ଜଣ ବିଧାୟକ ରହିଛନ୍ତି ।

ଦେଶରେ ବିଜେପି ଏବେ ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ପରି ୧୧ଟି ରାଜ୍ୟରେରେ ଶାସନ କରୁଛି । ଏହାଛଡ଼ା ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ, ସିକିମ ଓ ପୁଡ଼ୁଚେରୀରେ ସହଯୋଗୀ ସରକାରରେ ସାମିଲ ରହିଛି । ମୋଟ ୧୬ଟି ରାଜ୍ୟରେ ବିଜେପି ଓ ତା’ର ସହଯୋଗୀ ସରକାର ରହିଛି । ବର୍ତ୍ତମାନ ଦେଶରେ ମୋଟ ୫୪୨ ଜଣ ଲୋକସଭା ସାଂସଦ ରହିଥିବା ବେଳେ ଗୋଟିଏ ସିଟ୍ ଖାଲି ରହିଛି । ସେଥିରୁ ବିଜେପି ପାଖରେ ୩୦୩ ଜଣ ଓ କଂଗ୍ରେସ ପାଖରେ, ୫୩ ଜଣ ସାଂସଦ ରହିଛନ୍ତି । ସେହିପରି ବର୍ତ୍ତମାନ ୨୩୯ ଜଣ ରାଜ୍ୟସଭା ସାଂସଦ ରହିଥିବା ୬ଟି ସିଟ୍ ଖାଲି ରହିଛି । ସେଥିମଧ୍ୟରୁ ବିଜେପି ପାଖରେ ୯୨ ଜଣ ଓ କଂଗ୍ରେସ ପାଖରେ ୩୧ ଜଣ ସାଂସଦ ରହିଛନ୍ତି ।