fbpx

ଜିକା ଭାଇରସକୁ ନେଇ ବଢିଲା ଚିନ୍ତା: କର୍ଣ୍ଣାଟକରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ବେଙ୍ଗାଲୁରୁ: କରୋନା ମହାମାରୀ ସାରା ଦେଶବାସୀଙ୍କୁ ଦୁଇ ବର୍ଷରୁ ଊଦ୍ଧ୍ୱର୍ ଧରି ନାକେଦମ କରିବା ପରେ ଏବେ ସଂକ୍ରମଣ କମିଥିବାରୁ ଦେଶବାସୀ ଆଶ୍ୱସ୍ତି ଲାଭ କରୁଛନ୍ତି । ଏସବୁ ଭିତରେ ପୁଣି ଥରେ ଦେଶବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ୍ ଚିହ୍ନଟ ହେବା ପରେ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି ।

କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ନାବାଳିକା ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ଏନେଇ ସୂଚନା ଦେଇ କହିଛନ୍ତି ଯେ, କର୍ଣ୍ଣାଟକର ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍ ମାମଲା । ଏହି ଭାଇରସ୍ ଚିହ୍ନଟ ହେବା ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସରକାର ଏନେଇ ସଚେତନ ଥିବା ମନ୍ତ୍ରୀ କହିବା ସହ ଲୋକମାନେ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ସେହିପରି ବିଭିନ୍ନ ଡାକ୍ତରୀ ଟିମକୁ ମଧ୍ୟ ଆଲର୍ଟରେ ରଖାଯାଇଛି । ଏଡିସି ଇଜିପ୍ଟି ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମଣ ହୋଇଥାଏ । ଏହି ମଶା ଡେଙ୍ଗୁ ଓ ଚିକେନଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ ବୋଲି କୁହାଯାଇପାରେ । ଚର୍ମରେ ଦାଗ ସହ ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା ଓ ମୁଣ୍ଡବ୍ୟଥା ସହ ଜ୍ୱର ହେବା ଜିକା ଭାଇରସ୍ ଲକ୍ଷଣ ବୋଲି କୁହାଯାଉଛି । ଏହା ଦୁଇରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ । ତେବେ ଏହାକୁ ନେଇ ଆତଙ୍କିତ ହେବା ଉଚିତ ନୁହେଁ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.