fbpx

ନାଜାଲ ଟିକାକୁ ମିଳିଲା ମଞ୍ଜୁରୀ, ଏବେ ଇଞ୍ଜେକ୍ସନର ଆବଶ୍ୟକତା ରହିବ ନାହିଁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚୀନରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି, ଯାହାକୁ ନେଇ ଲୋକେ ଛାନିଆ । ଚୀନର ଅବସ୍ଥାକୁ ଦେଖି ଭାରତ ସରକାର ମଧ୍ୟ ଏଥର ଆଲର୍ଟ ମୋଡକୁ ଆସିଛନ୍ତି । ବୁଧବାର ଠାରୁ କେନ୍ଦ୍ର ସରକାର କରୋନା ସମ୍ବନ୍ଧରେ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନ୍ୟପଟେ ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଧ୍ୟ ନୂଆ ନାଜାଲ କରୋନା ଟିକା ବିଷୟରେ ସୂଚନା ଦେଇଛନ୍ତି ।

ମନସୁଖ ମାଣ୍ଡଭିଆ ରାଜ୍ୟସଭାରେ କହିଛନ୍ତି ଯେ, ଆଜି ବିଶେଷଜ୍ଞ କମିଟି ନାଜାଲ ଟିକାକୁ ମଧ୍ୟ ମଞ୍ଜୁରୀ କରିଛନ୍ତି । ଅର୍ଥାତ ଆଗାମୀ ଦିନରେ କୌଣସି ବ୍ୟକ୍ତିଙ୍କୁ ଇଞ୍ଜେକ୍ସନର ଆବଶ୍ୟକତା ପଡ଼ିବ ନାହିଁ । ନାକରେ ଏକ ବୁନ୍ଦା ପକାଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିବ ।

ଇଣ୍ଟ୍ରାନାଜାଲ୍ କୋଭିଡ୍ ଟିକା :-
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୮ ରେ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଘୋଷଣା କରିଥିଲା ଯେ, ଇନକୋଭାକ୍ (iNCOVACC BBV154)ବିଶ୍ୱର ପ୍ରଥମ କୋଭିଡ ଟିକା ହୋଇପାରିଛି ଯାହା ନାକ ମାଧ୍ୟମରେ (ବିନା ଛୁଞ୍ଚିରେ) ଦିଆଯାଉଛି । ଏହାକୁ ଇଣ୍ଟ୍ରା-ନାଜାଲ୍ କୋଭିଡ୍ ଟିକା କୁହାଯାଉଛି ।

ଭାରତ ବାୟୋଟେକର ବୟାନ ଅନୁସାରେ, iNCOVACCକୁ ସହଜ ସଂରକ୍ଷଣ ଏବଂ ବଣ୍ଟନ ପାଇଁ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ ରଖାଯାଇପାରିବ । ଭାରତ ବାୟୋଟେକ କହିଛି ଯେ, ନାକ ମାଧ୍ୟମରେ ଦିଆଯାଇଥିବା ଏହି ଟିକା ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ଅନୁଯାୟୀ ସ୍ୱତନ୍ତ୍ର ଭାବରେ ବିକସିତ କରାଯାଇଛି । ଆମେରିକାର ମିସୂରୀର ସେଣ୍ଟ ଲୁଇସରେ ୱାଶିଂଟନ୍ ୟୁନିଭରସିଟି ସହ ସହଭାଗିତାରେ ଏହି ଟିକା ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.