fbpx

ନୂଆବର୍ଷରେ ନୂଆ କଟକଣା: ମଦ୍ୟପ ଡ୍ରାଇଭରଙ୍କୁ ଧରିବ ପୋଲିସ, ରାଜଧାନୀର ୨୮ଟି ସ୍ଥାନରେ କରାଯିବ ଚେକିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଚାରି ଦିନ ପରେ ଆସିବ ନୂଆ ବର୍ଷ ୨୦୨୩ । ତେବେ ନୂଆ ବର୍ଷରେ ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ହେବା ସହ ମଦ୍ୟପଙ୍କ ଉତ୍ପାତ ବଢ଼ିବାର ଆଶଙ୍କା ରହିଛି । ତେଣୁ କମିସନରେଟ ପୋଲିସ ପକ୍ଷରୁ ଆଗଆ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତେବେ ଏନେଇ ରାଜଧାନୀ ଭୁବନେଶ୍ୱରରେ ୨୮ଟି ସ୍ଥାନରେ ଚେକ୍ ପୋଷ୍ଟ କରାଯିବା ସହ ରାତି ୨ଟା ପର୍ଯ୍ୟନ୍ତ ଯାଞ୍ଚ କରାଯିବ ।

ନୂଆ ବର୍ଷ ପୂର୍ବ ଦିନ ଡିସେମ୍ବର ୩୧ ତାରିଖରୁ ପୋଲିସ ୨୮ଟି ଚେକ୍ ପୋଷ୍ଟରେ ସନ୍ଧ୍ୟା ୭ଟାରୁ ଚେକିଂ ଆରମ୍ଭ କରିବ । ଏଭଳି ସ୍ଥିତିରେ ମଦ୍ୟପ ଡ୍ରାଇଭରଙ୍କୁ କାବୁ କରିବା ପାଇର୍ ୧୭ଟି ସ୍ଥାନରେ ଚେକିଂ କରାଯିବ । ସେଥିପାଇଁ ୧୩ ପ୍ଲାଟୁନ ଫୋର୍ସଙ୍କ ସହିତ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସଙ୍କୁ ମଧ୍ୟ ନିୟୋଜିତ କରାଯିବ । ଏଥିସହିତ ଜିରୋ ନାଇଟ୍ ସେଲିବ୍ରେସନ ହେଉଥିବା ହୋଟେଲମାନଙ୍କରେ ସ୍ୱତନ୍ତ୍ର ପୋଲିସଙ୍କୁ ନିୟୋଜିତ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଆସନ୍ତା ମାସ ୧୫ ତାରିଖରୁ ରାଜ୍ୟରେ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ତେଣୁ ଏଭଳି ବିଶ୍ୱସ୍ତରୀୟ ଇଭେଣ୍ଟ ସମୟରେ ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା କମିସନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ସେଥିପାଇଁ ରାସ୍ତାକଡ଼ରୁ ଉଠାଦୋକାନୀଙ୍କୁ ହଟାଇବା, ସୌନ୍ଦର୍ଯ୍ୟକରଣ କରିବା, ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ କରିବା ଆଦି ଉପରେ ପଦକ୍ଷେପ ନିଆଯାଉଛି । ବିଶ୍ୱ କପ ସମୟରେ କିପରି ରାଜଧାନୀରେ ଶାନ୍ତିଶୃଙ୍ଖଳା ରକ୍ଷା ହୋଇପାରିବ, ସେନେଇ କମିସନରେଟ୍ ପୋଲିସ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.