fbpx

ସ୍କୁଲ୍ ଆସୁନଥିଲେ ଶିକ୍ଷକ, ୨୪ ଜଣ ଶିକ୍ଷକଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ

ନବରଙ୍ଗପୁର: ଶିକ୍ଷକ ବହିଷ୍କାର ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ବହିଷ୍କାର ବେନିୟମ ଭାବେ ବର୍ଷ ବର୍ଷ ଧରି ଅନୁପସ୍ଥିତ ରହୁଥିବା ୨୪ ଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ଚାକିରିରୁ ବହିଷ୍କାର କରିଛନ୍ତି । ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କର ତାଲିକା ମଗାଯାଇଥିଲା । ସେହି ତାଲିକା ଜିଲ୍ଲାପାଳଙ୍କର ହସ୍ତଗତ ହେବାପରେ ୨ ଡିସେମ୍ବର, ୨୦୨୨ରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ୭ ଦିନ ମଧ୍ୟରେ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବା ପାଇଁ ନୋଟିସ୍‍ ଜାରି କରାଯାଇଥିଲା । ଏହାପରେ କିଛି ଶିକ୍ଷକ ସେମାନଙ୍କର ଉତ୍ତର ରଖିଥିଲେ।

ତେବେ ୧୫ ଦିନ ବିତିଯାଇଥିଲେ ମଧ୍ୟ ୨୪ ଜଣ ଶିକ୍ଷକ କୌଣସି ଉତ୍ତର ରଖି ନ ଥିଲେ। ଏ ନେଇ ଜିଲ୍ଲାପାଳ ତଥା ନିଯୁକ୍ତିଦାତା ୨୦୨୨ ଡିସେମ୍ବର, ୨୭ ତାରିଖ ଦିନ ୨୪ ଜଣ ଗଣଶିକ୍ଷକ, ଠିକା ଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବହିଷ୍କୃତ ନୋଟିସ୍‍ ସମ୍ପୃକ୍ତ ଶିକ୍ଷକମାନଙ୍କୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଅଭିଯୋଗ ହୋଇ ଅଆସୁଥିଲା ଯେ, ନବରଙ୍ଗପୁର ଜିଲାରେ କେତେକ ସ୍ଥାନରେ ଶିକ୍ଷକ ଲମ୍ବା ଛୁଟିରେ ଥିବାବେଳେ ଆଉ କେଉଁଠାରେ ନକଲ ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। ଯାଞ୍ଚ ପରେ ଧରା ପଡ଼ିଲେ ପରବର୍ତ୍ତି ସମୟରେ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଏମିତିକି ବହିଷ୍କାର ପୂର୍ବରୁ ନକଲି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ ଥାନାରେ ଏତଲା ଦେବା ଭଳି ଅଭିଯୋଗ ମଧ୍ୟ ହୋଇଥିଲା।

ଖବର ଅଧିକ ଘନୀଭୂତ ହେବ ପରେ ଏ ନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକ ଚିଠି ନଂ. ୨୩୫୦୭ରେ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରି ଲମ୍ବା ଛୁଟିରେ ଥିବା ଶିକ୍ଷକ ମାନଙ୍କ ତାଲିକା ଓ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନବରଙ୍ଗପୁର ଜିଲା ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ତାଳମେଳ ରହୁ ନ ଥିବା ଜଣାପଡିଥିଲା। କାରଣ ପୂର୍ବ ଚିଠିରେ ୧୭ ଶିକ୍ଷକ ଲମ୍ବା ଛୁଟିରେ ଥିବା ଓ ୭ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର ନେଇ ରିପୋର୍ଟ ପ୍ରଦାନ କରାଯାଇଥିଲା। କିନ୍ତୁ ପୁଣି ଦିଆଯାଇଥିବା ରିପୋର୍ଟରେ ୧୭ ଜଣ ଲମ୍ବା ଛୁଟିରେ ଥିବା ଏବଂ ଜଣେ ଶିକ୍ଷକଙ୍କୁ କାର୍ଯ୍ୟଚ୍ୟୁତ କରାଯାଇଥିବା ଦର୍ଶାଯାଇଥିଲା। ଉଭୟ ରିପୋର୍ଟରେ ଜିଲା ଶିକ୍ଷାଧିକାରୀଙ୍କ ତାଳମେଳ ରହିନଥିଲା। ଏବେ ଜିଲ୍ଲାପାଳ ୨୪ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି।

Get real time updates directly on you device, subscribe now.