fbpx

IGNOU ଦେଲା ନୂଆବର୍ଷ ଭେଟି: ମାଗଣାରେ ସ୍ନାତକ ଶିକ୍ଷା ଗ୍ରହଣ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବର୍ଷ ଅବସରରେ ଏକ ବଡ଼ ଅଫର ଆସିଛି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍ନାତକ ଶିକ୍ଷା ମିଳିପାରିବ । ଇନ୍ଦରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ଚଳିତ ବର୍ଷ ଇଗ୍ନୋରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମରେ ଆଡମିସନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହି ଫାଇଦା ପାଇପାରିବେ ।

ତେବେ ସୂଚନା ମୁତାବକ, ଇଗ୍ନୋ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଯୋଜନାର ଫାଇଦା ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀମାନେ ଉଠାଇ ପାରିବେ । ଏ ବାବଦରେ ଇଗ୍ନୋର ଆଞ୍ଚଳିକ ଡାଇରେକ୍ଟର ସୂଚନା ଦେଇଛନ୍ତି । ଏସଟି ଓ ଏସଟି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରୁ ଛାଡ଼ ସୁବିଧା ପୂର୍ବରୁ ପାଉଥିବେ, ତେବେ ସେମାନେ ଏହି ସୁବିଧାରୁ ବଞ୍ଚିତ ହେବେ ।

ତେବେ ଏଥିପାଇଁ ଆଡମିସନର ସମୟସୀମା ଆସନ୍ତା ଜାନୁଆରୀ ମାସ ୩୧ ତାରିଖ ରହିଛି । ଅଧାରୁ ପାଠ ଛାଡ଼ିଥିବା ବା କୌଣସି କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଇଗ୍ନୋରେ ଆଡମିସନ କରିପାରିବେ । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଇଗ୍ନୋର ୱେବସାଇଟ୍ http://www.ignou.ac.in/କୁ ଯାଇ ସବିଶେଷ ତଥ୍ୟ ହାସଲ କରିପାରିବେ । ୧୯୮୫ ମସିହା ସଂସଦ ଆକ୍ଟ ମୁତାବକ ଇଗ୍ନୋ ପ୍ରତିଷ୍ଠା ହୋଇଥିଲା । ତା’ ପରଠାରୁ ଦେଶର ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ଇଗ୍ନୋରୁ ଶିକ୍ଷା ଗ୍ରହଣ କରି ସେମାନଙ୍କର ଭବିଷ୍ୟତ ଗଢ଼ିବାରେ ସମର୍ଥ ହୋଇଛନ୍ତି ।

Get real time updates directly on you device, subscribe now.