fbpx

ଚଳିତ ମାସରେ ବଦଳିବ ମୋଦୀଙ୍କ କ୍ୟାବିନେଟ୍! ଓଡ଼ିଶାରୁ ଜଣଙ୍କୁ ମିଳିପାରେ ସ୍ଥାନ, ଆଗକୁ ଘୋଷଣା ହୋଇପାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପରିସ୍ଥିତି ସେତିକି ଉଷ୍ମ ହେବାରେ ଲାଗିଛି । ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି । ନିକଟରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଥିବା ବେଳେ ଚଳିତ ବର୍ଷ ୧୦ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ କ୍ଷମତାସୀନ ବିଜେପି ଆଗାମୀ ଭବିଷ୍ୟତ ପାଇଁ କ୍ଷେତ୍ର ଓ ପ୍ରାର୍ଥୀ ପ୍ରସ୍ତୁତ କରୁଛି ।

ତେବେ ଚଳିତ ମାସରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ୨୦୨୪ ଫାଇନାଲ ଲଢ଼େଇ ପାଇଁ ଆଉ ପାଖାପାଖି ୧ ବର୍ଷ ସମୟ ଥିବାବେଳେ ତା’ ପୂର୍ବରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ସେମିଫାଇନାଲ ମ୍ୟାଚ ଜିତିବାକୁ ବିଜେପି ପ୍ରାଣପଣେ ଚେଷ୍ଟା କରିବ । ତେବେ ଆସନ୍ତା ମକର ସଂକ୍ରାନ୍ତି ଅର୍ଥାତ ୧୪ ତାରିଖ ପରେ ଏ ବାବଦରେ ବିଜେପିର ଶୀର୍ଷ ନେତୃତ୍ୱ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ।

ଗତ ୨୦୧୯ ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ ପରେ ମୋଦୀଙ୍କ କ୍ୟାବିନେଟ ପ୍ରଥମ ଥର ପାଇଁ ଗତ ବର୍ଷ ଜୁଲାଇ ମାସରେ ସମ୍ପ୍ରସାରିତ ହୋଇଥିଲା । ସେ ସମୟରେ ମୋଟ ୪୩ ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହିତ କିଛି ବରିଷ୍ଠ ନେତା ମଧ୍ୟ ନିଜ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ତେବେ ୨୦୨୧ର କ୍ୟାବିନେଟ ପରିବର୍ତ୍ତନ ଫର୍ମୂଲାର ପ୍ରୟୋଗ ବିଜେପି ୨୦୨୩ରେ କରିପାରେ । ଦେଶର ବିଭିନ୍ନ ରାଜ୍ୟର ସାଙ୍ଗଠନିକ ସ୍ଥିତି, ଦଳର ପ୍ରଦର୍ଶନ, ଭବିଷ୍ୟତକୁ ବିଚାର କରି ଯାହା କିଛି ନିଷ୍ପତ୍ତି ନିଆଯାଇପାରେ ।

ତେବେ ଏକ ସୂତ୍ର ମୁତାବକ, ଚଳିତ ଥର ଓଡ଼ିଶାରୁ ଜଣଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି । କେଉଁ ନେତାଙ୍କୁ ମିଳିବ ତାହା ବର୍ତ୍ତମାନ ଠାରୁ ପୂର୍ବାନୁମାନ କରିବା ନିହାତି କଷ୍ଟକର ବ୍ୟାପାର । ହୁଏତ ଏହି ମନ୍ତ୍ରୀପଦ ନିଷ୍ପତ୍ତି ମଧ୍ୟ ବଦଳିପାରେ । ଏଥିସହିତ ଓଡ଼ିଶାକୁ ନେଇ ଆଉ ଏକ ବଡ଼ ଚର୍ଚ୍ଚା ହେଉଛି । ନିକଟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିଥିବା ବେଳେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ସମୟ ବ୍ୟବଧାନରେ ରାଜ୍ୟର ରାଜନୈତିକ ପାଣିପାଗ ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି ।

ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ କେନ୍ଦ୍ରୀୟ ନେତା ଓଡ଼ିଶାରେ ଆସି ପ୍ରଚାର କରିଥିଲେ । ଅନୁରୂପ ଭାବେ ଏଥର ମଧ୍ୟ ଓଡ଼ିଶାର ବିଧାନସଭା ଓ ଲୋକସଭା ଆସନକୁ ନେଇ କିଛି ନୂଆ ରଣନୀତି ପ୍ରୟୋଗ ହୋଇପାରେ । ତେବେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜଣେ ନେତାଙ୍କ ନାମ ଘୋଷଣା କରିବ ବୋଲି ଶୁଣାଯାଉଛି । ପୂର୍ବ ଥର ପରି ଦଳ ବିନା ସିଏମ ଚେହେରାରେ ହୁଏତ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ ।

ତେବେ ବର୍ତ୍ତମାନ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ ହାତୀ କାହା ମୁଣ୍ଡରେ ସୁନାକଳସ ଢାଳୁଛି ତାହା ନିଶ୍ଚିତ ଭାବେ ଦେଖିବାକୁ ମିଳିବ । ଏଥିସହିତ କେଉଁ ନେତାଙ୍କୁ ରାଜ୍ୟରେ ବିଜେପିର ମୁଖ୍ୟ ଚେହେରା ଭାବେ ଉପସ୍ଥାପିତ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମୁକାବିଲା କରାଯିବ ତାହା ମଧ୍ୟ ଦେଖିବାକୁ ମିଳିବ । ସେମିଫାଇନାଲ ଓ ଫାଇନାଲ ସମୟ ଯେତିକି ନିକଟତର ହେଉଛି, ରାଜନୈତିକ ମହଲ ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ତେବେ ମୋଦୀଙ୍କ ନୂଆ ଟିମରେ କେଉଁମାନେ ସ୍ଥାନ ପାଉଛନ୍ତି ତାହା ଚଳିତ ମାସରେ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.