fbpx

ନୃସିଂହନାଥ ପୀଠରେ ଦଳାଚକଟା: ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଆଜି ମକର ମେଳା ଉତ୍ସବରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ମହାନଦୀ ଉପରେ ନିର୍ମିତ ଟି-ସେତୁ ଉପରେ ଆଜି ଅଘଟଣ ଘଟିଥିଲା। କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ମକର ମେଳାକୁ ଯାଉଥିବା ଭକ୍ତ-ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ‌ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ବେଳେ ଏହି ଘଟଣାରେ ୨୦ ଜଣ ଗୁରୁତର ହୋଇଥିଲେ। ଏଥିରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଶୋଚନୀୟ ଅବସ୍ଥା ଥିବା ୪ ଜଣ ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ବଡ଼ମ୍ବା ବଦେଶ୍ୱର ନିକଟରେ ମହାନଦୀ ଉପରେ ଥିବା ଏହି ଟି-ବ୍ରିଜ୍ ସିଧାସଳଖ ସିଂହନାଥ ପୀଠକୁ ସଂଯୋଗ କରିଥାଏ। ଏହି ବ୍ରିଜ୍‌ଟି ଅତିକ ସଂକୀର୍ଣ୍ଣ ଥିବା ବେଳେ ମକରମେଳା ହେତୁ ବହୁ ଲୋକଙ୍କ ସମାଗମ ଏଠାରେ ହୋଇଥିଲା। ସକାଳ ସମୟରୁ ହଁ ପ୍ରବଳ ଭିଡ଼ ଲାଗି ରହିଥିଲା। ତେବେ ସେମାନେ ଦର୍ଶନ ସାରି ଫେରିବା ସମୟରେ ଭିଡ଼ ଆହୁରି ବଢିଯାଇଥିଲା। ସେହି ସମୟରେ ଅନ୍ୟ ପାଶ୍ୱର୍ରୁ ମଧ୍ୟ ଲୋକେ ପ୍ରବେଶ କରିଥିଲେ। ଏତିକି ବେଳେ ଦୁଇ ପକ୍ଷର ଲୋକ ମୁହାଁମୁହିଁ ହେବାରୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ପରେ ଦୁଇ ପକ୍ଷରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲାରେ ସେଠାରେ ବିଶୃଙ୍ଖଳା ବାତାବରଣ ସୃଷ୍ଟି ହୋଇଥିଲା। ଯାହା ପଳରେ ଦଳାଚକଟାର ସ୍ଥିତି ଉପୁଜିଛି।

Get real time updates directly on you device, subscribe now.