fbpx

ସେବା ନିବୃତ୍ତ କର୍ମଚାରୀମାନେ ଭ୍ରଷ୍ଟାଚାର ମାମଲାର ଯାଞ୍ଚ କରିପାରିବେ ନାହିଁ: ନିର୍ଦ୍ଦେଶନାମା ଜାରି କଲେ CVC

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ବିଭିନ୍ନ କ୍ଷେତ୍ର ଓ ବିଭାଗମାନଙ୍କରେ ଦୁର୍ନୀତି ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ଅନେକ ସମୟରେ ସେବା ନିବୃତ୍ତ କର୍ମଚାରମାନଙ୍କୁ ମାମଲାର ଯାଞ୍ଚ ପାଇଁ ନିଯୁକ୍ତ କରାଯାଇଥାଏ । ମାତ୍ର ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) । ଦୁର୍ନୀତି ମାମଲାର ତଦନ୍ତ କ୍ଷେତ୍ରରେ ଭିଜିଲାନ୍ସ ଅଧିକାରୀମାନେ ଉତ୍ତରଦାୟୀ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଗ କହିଛନ୍ତି ।

ଦେଶର ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ, ବୀମା କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଦୁର୍ନୀତି ମାମଲାର ଯାଞ୍ଚ ପାଇଁ ସେବା ନିବୃତ୍ତ କର୍ମଚାରୀଙ୍କୁ ସାମିଲ କରିବା ଅନୁଚିତ । ଅଧିକାଂଶ ବିଭାଗର ଭ୍ରଷ୍ଟାଚାର ମାମଲାର ଯାଞ୍ଚ ପାଇଁ ନିଜ ଅଧିକାରୀଙ୍କୁ ଯାଞ୍ଚ ଅଧିକାରୀ ଭାବେ ନିଯୁକ୍ତ କରିବା ନେଇ ଆୟୋଗ କ୍ଷୋଭ ପ୍ରକାଶ କରିଛନ୍ତି । ଏପରି ନକରିବା ନେଇ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏଥିସହିତ ଆୟୋଗ କହିଛନ୍ତି, ଭ୍ରଷ୍ଟାଚାର ମାମଲାରେ ବିଭାଗୀୟ ଭିଜିଲାନ୍ସ ଅଧିକାରୀଙ୍କୁ ଉତ୍ତରଦାୟୀ କରାଇବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ସେମାନଙ୍କୁ ପ୍ରଦାନ କରାଯାଇଥିବା ଦାୟିତ୍ୱ କ୍ଷେତ୍ରରେ ସେମାନେ ଗୋପନୀୟତା ରକ୍ଷା କରିବା ସହିତ ଅନୁଶାସନବର୍ତ୍ତିତା ରକ୍ଷା କରିବା ଉଚିତ । ଏପରି ନହେଲେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ । ଯଦି ସେବା ନିବୃତ୍ତ ଅଧିକାରୀଙ୍କୁ ଯାଞ୍ଚ ଅଧିକାରୀ ଦାୟିତ୍ୱ ଦିଆଯାଏ, ତେବେ ସେମାନଙ୍କ ବିରୋଧରେ କଦାପି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । କାରଣ ଅବସର ପରେ ସେମାନଙ୍କ ଉପରେ ଅନୁଶାସନାତ୍ମକ ନିୟମ ଲାଗୁ ହୁଏ ନାହିଁ । ସୂଚନାଯୋଗ୍ୟ ଯେ, ଗତ ୨୦୦୨ରେ ଆୟୋଗ ଏ ବାବଦରେ ଏକ ବିବୃତ୍ତି ଜାରି କରିଥିଲେ, ମାତ୍ର ତା’ପରେ ମଧ୍ୟ ତାହା କାର୍ୟ୍ୟକାରୀ ହୋଇନଥିଲା । ତେଣୁ ଆୟୋଗଙ୍କ ପକ୍ଷରୁ ଗତ ୧୩ ତାରିଖରେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

Get real time updates directly on you device, subscribe now.