fbpx

ୟୁକ୍ରେନ୍‌ରେ ରୁଷ୍ ସେନାର ପ୍ରଚଣ୍ଡ ଆକ୍ରମଣ, ଘନ ଘନ ମିସାଇଲ୍ ମାଡରେ ୧୪ ମୃତ

କିଭ: ଗତବର୍ଷ ଫେବୃଆରୀ ମାସରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିଲା ଘମାଘୋଟ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ କେହିବି ନିଜ ଜିଦ୍ ରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି । ଏହିକ୍ରମରେ ୟୁକ୍ରେନ ଉପରେ ପୁଣି ଥରେ ରୁଷ୍ ସେନା ଜୋରଦାର ହମଲା କରିଛି । ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷ୍ ସେନା ଘନ ଘନ ମିସାଇଲ ମାଡ଼ କରିବା ଫଳରେ ଏକାଧିକ ପ୍ରତିଷ୍ଠାନ ଧ୍ୱଂସ ପାଇଯାଇଛି । ସେହିଭଳି ଶକ୍ତି କ୍ଷେତ୍ରର ଭିତ୍ତିଭୂମି ମଧ୍ୟ ମିସାଇଲ ମାଡ଼ରେ ଛିନଛତ୍ର ହୋଇ ପଡ଼ିଛି । ୟୁକ୍ରେନର ନିପ୍ରୋ ସହରରେ ରୁଷ୍ ସେନାର ମିସାଇଲ ମାଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ଏକ ୯ ମହଲା ଆବାସିକ କୋଠାରେ ମିସାଇଲ ମାଡ଼ କରାଯିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଶତାଧିକ ଆହତ ହୋଇଛନ୍ତି । ମିସାଇଲ ମାଡ଼ରେ ଏହି କୋଠାଟି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ଧ୍ୱଂସାବଶେଷ ତଳୁ ୟୁକ୍ରେନ ସୁରକ୍ଷା କର୍ମୀ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳୁଛି । ଭଗ୍ନ ସ୍ତୁତଳେ ବହୁ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲୁ ରହିଛି । ମିସାଇଲ ମାଡ଼ ପରେ କୋଠାଟି ହୁତୁହୁତୁ ହୋଇ ଜଳି ଥିଲା । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ।

ୟୁକ୍ରେନ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ସହରର ଏକାଧିକ ପ୍ରତିଷ୍ଠାନ ଉପରେ ରୁଷ୍ ସେନା ପକ୍ଷରୁ ମିସାଇଲ ମାଡ଼ କରାଯାଇଛି । ଫଳରେ ବିଜୁଳି ଓ ପାଣି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ୟୁକ୍ରେନ ରାଷ୍ଟ୍ରତି ଜେଲେନସ୍କି ରୁଷ୍ ର ଏଭଳି ମିସାଇଲ ମାଡ଼କୁ ଦୃଢ ନିନ୍ଦା କରିବା ସହ ପଶ୍ଚିମ ଦେଶଗୁଡ଼ିକୁ ସହଯୋଗ
କରିବା ପାଇଁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.