fbpx

ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ? ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହୋଇପାରେ ନିଷ୍ପତି

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ପାଖାପାଖି ତିନି ଶହରୁ ଉର୍ଦ୍ଧ୍ୱ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ଓଡିଶାରୁ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଯୋଗଦେବେ।

ଏହି ବୈଠକ ପୁର୍ବରୁ ଆଲୋଚନା ମୁତାବକ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଏବଂ ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ନେଇ ଆଲୋଚନା ନିଷ୍ପତି ହୋଇପାରେ। ତେବେ ଚଳିତ ମାସ ୨୦ ତାରିଖରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୨୦ ଜାନୁଆରୀ ୨୦୨୦ରେ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ପଦରେ ଦାୟିତ୍ୱ ମିଳିଥିଲା। କିନ୍ତୁ ଏହା ପୁର୍ବରୁ ଜୁଲାଇ ୨୦୧୯ରେ ଜେପି ନଡ୍ଡାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା।

ଭାରତୀୟ ଜନତା ପାର୍ଟୀ ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକାଳ ତିନି ବର୍ଷ ହୋଇଥାଏ। ପାର୍ଟୀର ଧାରା ୨୧ ଅନୁସାରେ, ଜଣେ ନେତା ଲଗାତାର ୩ ବର୍ଷ ଲେଖାଏଁ ଦୁଇ ଥର ।ଧ୍ୟକ୍ଷ ପଦରେ ରହିପାରିବେ। କିନ୍ତୁ ପ୍ରତ୍ୟେକ କାର୍ଯ୍ୟକାଳ ପାଇଁ ନିର୍ବାଚନ ହେବ । ଏହି ମାଧ୍ୟମରେ କାର୍ଯ୍ୟକାଳକୁ ବଢାଯାଇପାରେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ କାର୍ଯ୍ୟକାଳ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ୨୦୧୮ ଭଳି, ଏହା ମଧ୍ୟ ଅନୁମାନ କରାଯାଉଛି ଯେ ଜେପି ନଡ୍ଡାଙ୍କ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। କାରଣ ଜେ.ପି ନାଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ଏବଂ ବିଶ୍ୱାସୀ ବୋଲି ବିବେଚନା କରାଯାଏ। ଏହା ସହିତ ନଡ୍ଡାଙ୍କ କାର୍ଯ୍ୟକାଳ ସମୟରେ ଦଳକୁ ଭଲ ଜନମତ ମଧ୍ୟ ମିଳିଛି।

କିନ୍ତୁ ଅନ୍ୟ ପଟେ ବିଜେପି ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଆଲୋଚନାରେ ରହିଛି। ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ନାମ ଆଗରେ ରହିଛି। ଚର୍ଚ୍ଚା ମୁତାବକ ଧର୍ମେନ୍ଦ୍ର ଅନେକ ସମୟରେ ବିଜେପି ସଂକଟମୋଚକ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାବେଳେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପାଇଁ ଯେତେବେଳେ ସରକାର ବହୁ ଚେଷ୍ଟା କରୁଥିଲେ, ସେତେବେଳେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କଙ୍କୁ ହଟାଇ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପଟେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଥିବା ଭୁପେନ୍ଦ୍ର ଯାଦବଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ୨୦୧୯ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପରେ ଭୁପେନ୍ଦ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଡ କଥା ଯେ ଭୁପେନ୍ଦ୍ର ରାଜସ୍ଥାନରୁ ଆସିଥିବାବେଳେ ଏଥର ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

Get real time updates directly on you device, subscribe now.