ରାଜ୍ୟରେ ହାତୀ ସୁରକ୍ଷା ପାଇଁ ତିନି ସପ୍ତାହ ମଧ୍ୟରେ ଆକ୍ସନ ପ୍ଲାନ୍‍ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କମୁନାହିଁ ହାତୀ ମୃତ୍ୟୁ। ହାତୀ ମୃତ୍ୟୁ ପ୍ରସଙ୍ଗକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱର ଭାବେ ଗ୍ରହଣ କରିଥିଲେ। ହାତୀ ସୁରକ୍ଷା ସମ୍ପର୍କିତ ଦାଏର ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି। ଏହା ପୂର୍ବରୁ ମୁଖ୍ୟ ବନସଂରକ୍ଷକ ଏ ନେଇ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ହାତୀଙ୍କ ସୁରକ୍ଷା ପାଇଁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ଉଲ୍ଲେଖ ରହିଛି। ଏହାପରେ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହାର ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଏକମାସ ପରେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ହାତୀ ମୃତ୍ୟୁ ରୋକିବା ଲାଗି ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଏହି ଆକ୍ସନ୍‍ ପ୍ଲାନକୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଅନୁମତି ପ୍ରଦାନ କରିଛି। ଆଜି ହାଇକୋର୍ଟରେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ସିସିଏଫ୍‍ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ଏହାକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିବା ସହିତ ଏହି ଆକ୍ସନ ପ୍ଲାନ୍‍କୁ ୩ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟରେ ସିସିଏଫ୍‍ଙ୍କ ପକ୍ଷରୁ ଯେଉଁ ସତ୍ୟପାଠ ଦାଖଲ ହୋଇଛି, ସେଥିରେ ୧୦ ସୂତ୍ରୀ ଯୋଜନା ପ୍ରସ୍ତୁତ ହୋଇଥିବା ଉଲ୍ଲେଖ କରାଯାଇଛି। ତେବେ ଶିମିଳିପାଳ ଅଭୟାରଣ୍ୟରେ ହୋଇଥିବା ହାତୀ ଶିକାର ଏବଂ ବନ କର୍ମଚାରୀଙ୍କ ଆତ୍ମହତ୍ୟା ମାମଲାର ତଥ୍ୟ ଦେବା ପାଇଁ ହାଇକୋର୍ଟ ଜେଟିଏଫ୍‍’ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।