RSS ବିଚାରଧାରାର ସମାଲୋଚକ ଥିଲେ ନେତାଜୀ, ସେ ସବୁ ଧର୍ମକୁ ସମ୍ମାନ ଦେଉଥିଲେ: ସୁଭାଷଙ୍କ କନ୍ୟା

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପଡ଼ୁଛି । ଭାରତ ସରକାର ନେତାଜୀଙ୍କ ଜନ୍ମ ଦିବସକୁ ପ୍ରତିବର୍ଷ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ନେତାଜୀଙ୍କ ଜୟନ୍ତୀ ଅବସରରେ କୋଲକାତାଠାରେ ରାଷ୍ଟ୍ରୀୟ ସ୍ୱୟଂ ସଂଘ (ଆରଏସଏସ) ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ପ୍ରୋଗ୍ରାମରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ଯୋଗଦେବେ ।

ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଭାଗବତ ଇତିମଧ୍ୟରେ ଦୁଇଦିନିଆ କୋଲକାତା ଗସ୍ତରେ ଯାଇଛନ୍ତି । ତେବେ ଆରଏସଏସର ଏହି କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ବଡ଼ ବୟାନ ଦେଇଛନ୍ତି ନେତାଜୀଙ୍କ କନ୍ୟା ଅନୀତା ବୋଷ ଫାଫ । ନେତାଜୀ ଆରଏସଏସର ବିଚାରଧାରାର ସମାଲୋଚକ ଥିଲେ । ମୋ ପିତା ଜଣେ ହିନ୍ଦୁ ଥିଲେ ମାତ୍ର ସେ ସମସ୍ତ ଧର୍ମକୁ ସମ୍ମାନ ଦେଉଥିଲେ । ସେ ସମସ୍ତଙ୍କ ସାଥିରେ ରହି ପାରିଥାନ୍ତେ ବୋଲି ଅନୀତା କହିଛନ୍ତି ।

ସେ ପୁଣି କହିଛନ୍ତି, ଯଦି ଆରଏସଏସ ନେତାଜୀଙ୍କ ବିଚାରଧାରାକୁ ଅପଣାଇବା ଆରମ୍ଭ କରୁଛି ତେବେ ଏହା ଭାରତ ପାଇଁ ଭଲ ହେବ । ନେତାଜୀ ଧର୍ମନିରପେକ୍ଷତାରେ ବିଶ୍ୱାସ ରଖୁଥିଲେ । ଆରଏସଏସ ପିତାଙ୍କ ବିଚାରଧାରାରେ ଭରସା ରଖୁଛି ମୁଁ ଏହାକୁ ବିଶ୍ୱାସ କରୁନାହିଁ । ଆରଏସଏସ ହିନ୍ଦୁ ରାଷ୍ଟ୍ରବାଦୀ ବିଚାରକୁ ପ୍ରଚାରିତ କରିବାକୁ ଚାହୁଁଛି । ମାତ୍ର ଏହା ନେତାଜୀଙ୍କ ବିଚାରଧାରା ସହିତ ମେଳ ଖାଇବ ନାହିଁ । ଯଦି ଏଥିପାଇଁ ନେତାଜୀଙ୍କୁ ବ୍ୟବହାର କରାଯାଏ, ତେବେ ମୁଁ ଏହାକୁ ପ୍ରଶଂସା କରିବି ନାହିଁ । ସୂଚନାଯୋଗ୍ୟ ଯେ, ନେତାଜୀ ଆରଏସଏସ ବିଚାରଧାରାର ସମାଲୋଚକ ନଥିଲେ ବୋଲି ଏହା ପୂର୍ବରୁ ଭାଗବତ ବୟାନ ଦେଇଥିଲେ ।