fbpx

Budget 2023: ୩୫ଟି ସାମଗ୍ରୀର Custom Duty ବଢ଼ିବ, ତାଲିକା ପ୍ରସ୍ତୁତ କଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ!

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ୨୦୨୩ ଆଗତ କରିବେ । ତେବେ ବଜେଟ ପରେ କ’ଣ ହେବ ଶସ୍ତା ଆଉ କ’ଣ ହେବ ମହଙ୍ଗା ତାହାକୁ ନେଇ ସାରା ଦେଶବାସୀ ଚାହିଁ ରହିଛନ୍ତି । ତେବେ ଅଲଗା ଅଲଗା ସେକ୍ଟରର ଏପରି କିଛି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ହୋଇପାରେ । ଯେଉଁ ଜିନିଷଗୁଡ଼ିକ ଜରୁରୀ ସାମଗ୍ରୀରେ ଆସୁନଥିବେ, ସେଗୁଡ଼ିକୁ ଏଥିରେ ସାମିଲ କରାଯାଇପାରେ ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ମଜବୁତ କରିବା ପାଇଁ ଏଥର ବଜେଟରେ ଆମଦାନୀ କରାଯାଉଥିବା କିଛି ସାମଗ୍ରୀର କଷ୍ଟମ ଡ୍ୟୁଟି ବୃଦ୍ଧି ହୋଇପାରେ । ଏହି ପଦକ୍ଷେପ ନେବା ଫଳରେ କେନ୍ଦ୍ର ସରକାରଙ୍କ ମେକ ଇନ୍ ଇଣ୍ଡିଆ ଅଭିଯାନକୁ ସହାୟତା ମିଳିବା ସହ ଘରୋଇ ଉତ୍ପାଦନ ବୃଦ୍ଧି ପାଇବ । ଆମଦାନୀ କମ୍ କରିବା ଓ ଘରୋଇ ଉତ୍ପାଦନକୁ ବୃଦ୍ଧି ପାଇଁ ସରକାର ୩୫ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ପାଇଁ ଯୋଜନା କରିଛନ୍ତି । ଏଥିରେ ଘରୋଇ ଜେଟ୍, ହେଲିକପ୍ଟର, ହାଇ ଏଣ୍ଡ ଇଲେକ୍ଟ୍ରୋନିକ ଆଇଟମ, ପ୍ଲାଷ୍ଟିକ୍ ସାମଗ୍ରୀ, ଜୁଏଲାରୀ, ହାଇ ଗ୍ଲାସ ଓ ଭିଟାମିନ ପରି ସାମଗ୍ରୀ ସାମିଲ ରହିଛି ।

କେନ୍ଦ୍ର ସରକାର ଯେଉଁସବୁ ସାମଗ୍ରୀର କଷ୍ଟମ ଡ୍ୟୁଟି ବଢ଼ାଇବାକୁ ଯୋଜନା କରୁଛନ୍ତି, ସେସବୁର ଲିଷ୍ଟ ଭିନ୍ନ ଭିନ୍ନ ମନ୍ତ୍ରଣାଳୟରୁ ମିଳିଛି । ଏହି ଲିଷ୍ଟର ଏବେ ସମୀକ୍ଷା କରାଯାଉଛି । ବର୍ତ୍ତମାନ ସୁଦ୍ଧା ସରକାର ୩୫ଟି ଆଇଟମର କଷ୍ଟମ ଡ୍ୟୁଟି ବଢ଼ାଇବାକୁ ଚିନ୍ତା କରୁଛନ୍ତି । ଏହି ସାମଗ୍ରୀଗୁଡ଼ିକୁ ଭାରତରେ ନିର୍ମାଣ ବୃଦ୍ଧି ପାଇଁ ଏହାର ଆମଦାନୀ ମହଙ୍ଗା କରାଯାଉଛି । ଗତ ବର୍ଷ ଡିସେମ୍ବରରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ମନ୍ତ୍ରଣାଳୟକୁ ଆମଦାନୀ ହେଉଥିବା ଅଣଜରୁରୀ ସାମଗ୍ରୀର ଲିଷ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ସେସବୁ ସାମଗ୍ରୀର କଷ୍ଟମ ଡ୍ୟୁଟି ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.