fbpx

ନବ ଦାସଙ୍କୁ ଗୁଳିମାଡ଼ ପରେ କାର୍ଯ୍ୟାନୁଷ୍ଠାନ: ବ୍ରଜରାଜନଗର SDPOଙ୍କୁ କରାଗଲା ବଦଳି

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନବଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇଛି । ଏସଡିପିଓଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟପଟେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଛି ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାରେ ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଖବର ମୁତାବକ, ୨୦୧୩ରୁ ଅଭିଯୁକ୍ତ ଗୋପାଳ ଦାସଙ୍କୁ ବନ୍ଧୁକ ଇସ୍ୟୁ ହୋଇଥିଲା । ୯ ଏମଏମ ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଇସ୍ୟୁ ହୋଇଥିଲା । ୨୦୨୦ରେ ପୁରୁଣା ଗୁଳିକୁ ବଦଳାଇ ନୂଆ ଗୁଳି ଦିଆଯାଇଥିଲା । ୨୦୨୨ ଡିସେମ୍ବରରେ ରେଞ୍ଜ କୋର୍ସ ଫାଇରିଂରେ ଯୋଗ ଦେଇଥିଲେ । ତେବେ ଗୋପାଳଙ୍କୁ ବନ୍ଧୁକ ଇସ୍ୟୁର ହୋଇଥିବାର ଡକ୍ୟୁମେଣ୍ଟ ଗଣମାଧ୍ୟମକୁ ମିଳିଛି ।

ସୂଚନା ମୁତାବକ, ତେବେ ବ୍ରଜରାଜନଗର ଗାନ୍ଧି ଛକରେ ଗୋପାଳ ଦାସ ନାମ ଜଣେ ପୋଲିସ ଏଏସଆଇ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳିଟି ତାଙ୍କ ଛାତି ତଳେ ବାଜି ଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଆପୋଲୋ ବିଶେଷଜ୍ଞଙ୍କ ସହ କଟକ ବଡ଼ ଡାକ୍ତରଖାନା ଓ କ୍ୟାପିଟାଲ ହସ୍ପିଟାଲର ବିଶେଷଜ୍ଞମାନେ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିଲେ । ଏପରିକି ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.