ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ୧୫,୦୦୦ ପାର୍: ଭଗ୍ନାବଶେଷରେ ମୃତ ଦେହ ଖୋଜିବା ଜାରି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ଫେବୃଆରୀ ୬ ରେ ହୋଇଥିବା ଭୂକମ୍ପ ମୃତ୍ୟୁର ତାଣ୍ଡବ ରଚିଛି । ସବୁଆଡ଼େ ଭଗ୍ନାବଶେଷ ବିଛାଡି ହୋଇ ରହିଛି ଏବଂ କାନ୍ଦରେ ଫାଟିପଡୁଛି ସମଗ୍ର ଅଞ୍ଚଳ । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉଭୟ ଦେଶରେ ମୃତ୍ୟୁସଂଖ୍ୟା ୧୫,୦୦୦ ଅତିକ୍ରମ କରିଛି ।

ଏଥିସହ ଆହତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହିଛି । ଏହା ବ୍ୟତୀତ ହଜାର ହଜାର କୋଠା ଭୂମିରେ ପୋତି ହୋଇଯିବାରୁ ଏବେ ବି ଅନେକ ଲୋକ ତା’ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି ।

ତେବେ ସୋମବାର (ଫେବୃଆରୀ ୬) ରେ ତୁର୍କୀ-ସିରିଆ ସମେତ ଅନ୍ୟାନ୍ୟ ଦେଶରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏଥି ସହିତ ପ୍ରଭାବିତ ଅଞ୍ଚଳକୁ ୧୫୦ ରୁ ଅଧିକ ଆଫ୍ଟଶୋକର ସହିବାକୁ ପଡିଥିଲା । ତୁର୍କୀରେ ଗ୍ରୀନଲ୍ୟାଣ୍ଡ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା ।

ତୁର୍କୀ ଏବଂ ସିରିଆରେ ହୋଇଥିବା ମର୍ମନ୍ତୁଦ ଭୂକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଇଛି । ବିଶ୍ୱର ଭୟଙ୍କର ଭୂକମ୍ପ ବିପର୍ଯ୍ୟୟ ଯୋଗୁଁ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ୧୫,୦୦୦ ଅତିକ୍ରମ କରିଛି । ଉଭୟ ଦେଶରେ ଭୂକମ୍ପ ଦ୍ୱାରା ପ୍ରଭାବିତ ସହର ଓ ସହରାଞ୍ଚଳରେ ପୀଡିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତୁର୍କୀରେ ୧୨,୩୯୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୨,୯୧୪ ଜଣ ଆହତ ହୋଇଥିବା କୁହାଯାଉଛି । ଏଥି ସହିତ ସିରିଆରେ ମୃତ୍ୟୁସଂଖ୍ୟା ୩,୪୮୬ କୁ ବୃଦ୍ଧି ପାଇଥିବାବେଳେ ଏଠାରେ ଆହତଙ୍କ ସଂଖ୍ୟା ୫,୨୪୭ ବୋଲି କୁହାଯାଉଛି ।