fbpx

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ DCP ପ୍ରତୀକ ସିଂଙ୍କ ସୂଚନା: ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜାଣନ୍ତୁ କ’ଣ କହିଲେ ?

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ୨ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ଡିସିପିଙ୍କ କହିବା ଅନୁସାରେ, ‘ବ୍ଲୁ ବୁକଗ୍ ଏସଓପି ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ରହିବେ ଏସପି ରାଙ୍କ ଅଧିକାରୀ । ଅନ୍ୟପଟେ ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୫ ଜଣ ଏସିପି ରାଙ୍କ ଅଧିକାରୀ ଓ ୪୭ ଇନ୍ସପେକ୍ଟର ମୁତୟନ ରହିବେ । ସେହିପରି ୧୮୮ ଏସଆଇ ଓ ଏଏସଆଇଙ୍କ ସହ ୫୦ ହୋମଗାର୍ଡ ରହିବେ ।’

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟ ସାରଣୀ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଆସନ୍ତାକାଲି ରାଷ୍ଟ୍ରପତି ପହଂଚିବା ପରେ ପୂର୍ବାହ୍ଣରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦାନ କରିବେ ।

ଅପରାହ୍ଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୧ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ସାରି ପୂର୍ବାହ୍ମରେ କଟକ ବିଦ୍ୟାଧରପୁର ସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗେସ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ରହିଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଯୋଗଦେବାକୁ ଥିବା ଉତ୍କଳ ମଣ୍ଡପ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି ।

ସେହିଭଳି ଆସନ୍ତା ୧୧ ତାରିଖରେ ରାଷ୍ଟ୍ରପତିଙ୍କ କଟକ ଆଗମନକୁ ନେଇ କମିଶନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍.ଏ.ଜିଙ୍କ ସହ ଆଲୋଚନା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଇତିମଧ୍ୟରେ ବରିଷ୍ଠ ପୋଲିସ ଅଧିକାରୀମାନେ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମସ୍ଥଳ ଏବଂ ସେଠାରେ ପ୍ରସ୍ତୁତ ହେଇଥିବା ହେଲିପ୍ୟାଡର ସ୍ଥିତି ଯାଞ୍ଚ କରିଛନ୍ତି ।

Get real time updates directly on you device, subscribe now.