fbpx

କରୋନା ପାଇଁ ମୟୂରଭଞ୍ଜ-ବାଲେଶ୍ବର ସୀମାସିଲକୁ ନେଇ ବିବାଦ ।

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): କରୋନା ଭାଇରସ୍ ସଂକ୍ରମଣ ଭୟରେ ଉବୁଟୁବୁ ସମଗ୍ରଭାରତବାସୀ । ଏଥିରୁ ବାଦପଡିନି ଓଡ଼ିଶା। ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓଡ଼ିଶାରେ।ମୂଖ୍ୟତଃ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସହିତ ଯାଜପୁର, ଭଦ୍ରକ,ବାଲେଶ୍ବର ଜିଲ୍ଲାରେ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ। ଯାହାକୁନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇ ଆନ୍ତଃଜିଲ୍ଲା ଓ ରାଜ୍ୟ ପ୍ରବେଶ ପଥ ଗୁଡିକରେ ବାଡ଼ ବସାଇ ସିଲ କରିବା ସହ ଯୋଗାଯୋଗ ସମ୍ପୁର୍ଣ୍ଣ ବନ୍ଦ କରିଛି। ତେବେ ପୋଡ଼ାଶୀ ବାଲେଶ୍ଵର ଜିଲ୍ଲା ସୀମାକୁ ସଂଯୋଗ କରୁଥିବା ମୟୂରଭଞ୍ଜ ସୀମା ଭିମଦା ପଞ୍ଚାୟତର ନୂଆହାଟ ନିକଟରେ ବଡ଼ସାହି ପୋଲିସ ବାଡ ବସାଇ ସିଲ୍ କରିଥିଲା । ମାତ୍ର ବାଲେଶ୍ବର ଜିଲ୍ଲାର କିଛି ଲୋକ ଉତ୍ୟକ୍ତ ହୋଇ ଏହାକୁ ବିରୋଧ କରିବା ସହ ସିଲ୍ କରାଯାଇଥିବା ବାଡକୁ ଉଠାଇଦେବା ଫଳରେ ମୟୂରଭଞ୍ଜ ଓ ବାଲେଶ୍ବର ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଘଟଣାର ଖବରପାଇ ବଡସାହି ଥାନା ଅଧିକାରୀ ,ବଡସାହି ତହସିଲଦାର, ଆରଆଇ ଏବଂ ବାଲେଶ୍ବର ଜିଲ୍ଲାର ରେମୁଣା ଥାନା ଅଧିକାରୀ, ତହସିଲଦାରଙ୍କ ସହିତ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଗୋପବନ୍ଧୁନଗରର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରି ପୁଣି ସେହି ନୂଆହାଟ ଠାରେ ବାଡବସାଇ ସିଲ୍ କରିଥିବା ଜଣାପଡ଼ିଛି। ତେବେ ସୀମାକୁ ନେଇ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ବିବାଦ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ପ୍ରଥମେ ନିଜେନିଜକୁ ସୁରକ୍ଷିତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ଦେଇ ବିଶ୍ୱ ଆତଙ୍କ ସାଜିଥିବା ଏହି ମହାମାରି କରୋନା ଭୂତାଣୁ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ଉଦ୍ୟମ ଆବଶ୍ୟକ। ବର୍ତ୍ତମାନ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ନ କରି ସରକାରଙ୍କ ନିୟମ ଓ ପରାମର୍ଶକୁ ପାଳନ କରିବାକୁ ବଡସାହି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ସୀମାନ୍ତବର୍ତ୍ତି ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.