fbpx

ବିହାର ରାଜନୀତି ହଲଚଲ: RJD-JDU ମଧ୍ୟରେ ଫାଟ, ପୁଣି BJPକୁ ଫେରିବେ ନୀତିଶ!

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଏଭଳି ସ୍ଥିତିରେ ବିଜେପିର ଟପ୍ ଷ୍ଟାର ନରେନ୍ଦ୍ର ମୋଦୀଙ୍କ ରଥକୁ ରୋକିବା ପାଇଁ ବିରୋଧୀମାନେ ଏକାଠି ହୋଇ ଲଢ଼ିବାକୁ ପ୍ରୟାସ କରୁଛନ୍ତି । ମାତ୍ର ଏଭଳି ସମୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଅପଡେଟ୍ । ଏକଦା ବିପକ୍ଷ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ସାମ୍ନାକୁ ଆସିଥିଲା । ମାତ୍ର ଏବେ ନୀତିଶ ନିଜେ ମଧ୍ୟ ସ୍ଥିର ନୁହନ୍ତି ବୋଲି ଆଭାସ ମିଳିଲାଣି ।

ଅତୀତରେ ବିଜେପି ସହିତ ନୀତିଶଙ୍କ ଜନତା ଦଳ (ୟୁ) ମେଣ୍ଟ କରିଥିଲା । ପରବର୍ତ୍ତୀ ସମୟରେ ଅତ୍ୟନ୍ତ ଚତୁରତାର ସହିତ ନୀତିଶ ବିଜେପିର ହାତ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ହାତ ମିଳାଇଥିଲେ । ଏବେ ନୀତିଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାରତ ସମ୍ଭାଳିବା ସହିତ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେବେ ପୁଣି ଥରେ ନୀତିଶ ବିଜେପିର ହାତ ଧରିବାକୁ ଯାଉଛନ୍ତି ଏଭଳି କିଛି ଚର୍ଚ୍ଚା ହେଉଛି ।

ପ୍ରଥମ ସଙ୍କେତ- ବିହାରର ନୂଆ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ ନିଯୁକ୍ତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୀତିଶଙ୍କୁ ଫୋନ୍ କରି ଜଣାଇଥିଲେ ।

ଦ୍ୱିତୀୟ ସଙ୍କେତ- ଗଲୱାନରେ ସହୀଦ ହୋଇଥିବା ଜୟ କିଶୋର ସିଂହଙ୍କ ପିତାଙ୍କୁ ସରକାରୀ ଜମିରେ ସ୍ମାରକ ନିର୍ମାଣ ମାମଲାରେ ବିହାର ପୋଲିସ ପିଟିବା ସହ ଅପମାନିତ କରିଥିଲା । ଏଥିସହିତ ତାଙ୍କୁ ଜେଲରେ ଭର୍ତ୍ତି କରିବା ପ୍ରସଙ୍ଗରେ ନୀତିଶ-ତେଜସ୍ୱୀଙ୍କ ବୟାନ ଭିନ୍ନ ରହିଥିଲା । ତେଜସ୍ୱୀ ଉକ୍ତ କାର୍ଯ୍ୟାନୁଷ୍ଠାନ ଠିକ୍ ଅଛି ବୋଲି କହିଥିବା ବେଳେ ନୀତିଶ ଯାଞ୍ଚ ଆଦେଶ ଦେଇଥିଲେ ।

ତୃତୀୟ ସଙ୍କେତ- କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମାର୍ଚ୍ଚ ୧ରେ ନୀତିଶଙ୍କୁ ଫୋନ୍ କରି ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ମାତ୍ର ରାଜନାଥ ଫୋନ କରିନଥିବା ନୀତିଶ ସଦନରେ କହିଥିଲେ । ଏଥିସହିତ ପିଏମ୍ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସୋସିଆଲ ମିଡ଼ିଆରେ ଜନ୍ମଦିନ ବଧାଇ ଜଣାଇଥିଲେ ।

ଚତୁର୍ଥ ସଙ୍କେତ- ତାମିଲନାଡ଼ୁରେ କାର୍ଯ୍ୟରତ ବିହାରୀ ଶ୍ରମିକଙ୍କୁ ସେଠାରେ ଆକ୍ରମଣ କରାଯିବା ପ୍ରସଙ୍ଗରେ ବିଜେପି ବିଧାନସଭାରେ ଉଠାଇଥିଲା । ମାତ୍ର ଏହି ଘଟଣାକୁ ଡେପୁଟି ସିଏମ୍ ତେଜସ୍ୱୀ ଖାରଜ କରିଦେଇଥିଲେ । ଅନ୍ୟପକ୍ଷରେ ବିଜେପି ନେତା ନୀତିଶଙ୍କ ସହ ଦେଖା କରିବା ପରେ ସେ ୪ ସଦସ୍ୟ ବିଶିଷ୍ଟ ଟିମ୍ ଗଠନ କରି ଯାଞ୍ଚ ପାଇଁ ଟିମକୁ ତାମିଲନାଡ଼ୁ ପଠାଇ ଦେଇଥିଲେ ।

ପଞ୍ଚମ ସଙ୍କେତ- ରାଜ୍ୟର ପୂର୍ବତନ ଡେପୁଟି ସିଏମ ତାର କିଶୋର ପ୍ରସାଦଙ୍କ ପିତାଙ୍କ ଶ୍ରଦ୍ଧା କର୍ମ ପାଇଁ ନୀତିଶ କଟିହାର ଯାଇଥିଲେ । ସେଠାରେ ନୀତିଶ ପାଖାପାଖି ୧ ଘଣ୍ଟା ସମୟ ବିତାଇଥିଲେ । ଜଣେ ବିଜେପି ନେତାଙ୍କ ଘରେ ଏତେ ସମୟ ଧରି ରହିବା ଓ ଆଲୋଚନା କରିବାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏଭଳି ବିଭିନ୍ନ ସଙ୍କେତ କହୁଛି ନୀତିଶ ଆରଜେଡିକୁ ବାଏ ବାଏ କରି ପୁଣି ଥରେ ଗେରୁଆ ବସ୍ତ୍ର ପିନ୍ଧିବାକୁ ଯାଉଛନ୍ତି ।

Get real time updates directly on you device, subscribe now.