ବିଶ୍ୱରେ କେଉଁଠି ରହିଛି ସବୁଠାରୁ ଉଚ୍ଚ ATM? ଜାଣନ୍ତୁ ଏହା ବିଷୟରେ ଅନେକ କିଛି…

ନୂଆଦିଲ୍ଲୀ: ଭାରତର ସବୁଠୁ ଉଚ୍ଚ ଏଟିଏମ ବିଷୟରେ ଯଦି ପଚରାଯାଏ, ତେବେ ଏହା ସିକିମରେ ଅଛି ବୋଲି ସମସ୍ତଙ୍କୁ ଜଣାଅଛି । କିନ୍ତୁ ଯଦି ପଚରାଯାଏ, ବିଶ୍ୱର ସବୁଠୁ ଉଚ୍ଚ ଏଟିଏମ କେଉଁଠି ଅଛି? ବୋଧହୁଏ ଏହାର ଉତ୍ତର ଅଧିକାଂଶ ଲୋକଙ୍କୁ ଜଣା ନଥିବ । ତେବେ ଏହାର ଉତ୍ତର ଆଜି ଆମେ ଆପଣଙ୍କ ପାଖକୁ ନେଇ ଆସିଛୁ । ବିଶ୍ୱର ସବୁଠୁ ଉଚ୍ଚ ଏଟିଏମ ରହିଛି ଆମର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ । ତେବେ ଆସନ୍ତୁ ଜାଣିବା ଏହି ଏଟିଏମ ବିଷୟରେ ।

ପାକିସ୍ତାନରେ ଅବସ୍ଥିତ ବିଶ୍ୱର ଏହି ସର୍ବୋଚ୍ଚ ଏଟିଏମ ୪୬୯୩ ମିଟର ଅର୍ଥାତ ୧୫,୩୯୬ ଫୁଟ ଉଚ୍ଚତାରେ ରହିଛି । ପାକ୍-ଚୀନ ମଧ୍ୟରେ ଉତ୍ତରୀ ପାକିସ୍ତାନର ଖୁଞ୍ଜରାବ ଦର୍ର୍ରେ ଏହି ଏଟିଏମ ଅବସ୍ଥିତ । ଏହା ସୌରଶକ୍ତି ଏବଂ ଏୟାର ଟର୍ବାଇନ୍ ଦ୍ୱାରା ସଞ୍ଚାଳନ ହୋଇଥାଏ । ୨୦୧୬ ମସିହାରେ ଏହାର ନିର୍ମାଣ କରିଥିଲା ନେସନାଲ ବ୍ୟାଙ୍କ ଅଫ ପାକିସ୍ତାନ । ଏହାକୁ ସ୍ଥାପନ କରିବା ପାଇଁ ୪ ମାସ ସମୟ ଲାଗିଥିବା ବେଳେ ଏହା ପାକ୍-ଚୀନ ସୀମା ଅତିକ୍ରମ କରୁଥିବା ସମସ୍ତ ବାସିନ୍ଦା ଏବଂ କର୍ମଚାରୀମାନଙ୍କୁ ଖୁବ ସାହାଯ୍ୟ କରିଥାଏ । ରଣନୈତିକ ରୂପରେ ଏହି ଏଟିଏମ ଚୀନ-ପାକିସ୍ତାନ ଆର୍ଥିକ ଗଲିୟାରେ ବା ସିଇପିଇସିରେ ଅବସ୍ଥିତ ହୋଇଛି । ଏହା ପ୍ରତ୍ୟେକ ସମୟରେ ଚାଲୁ ରହିଥାଏ । ବିଶେଷ କରି ଶୀତ ଋତୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥାଏ ଏହି ଏଟିଏମ ।

ତେବେ ସୋଷ୍ଟ ସିଟିରେ ଥିବା ଶାଖା ଦ୍ୱାରା ଏହି ଏଟିଏମ ଉପରେ ନଜର ରଖାଯାଏ । ବ୍ୟାଙ୍କ ଅଧିକାରୀଙ୍କ ଅନୁସାରେ, ନଗଦ ଅର୍ଥର ନୀରବଚ୍ଛିନ୍ନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ନିକଟସ୍ଥ ଶାଖାକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଏଠାରେ ଟଙ୍କା ଉଠାଇବା ସହ ଡିଜିଟାଲ ବିଲ୍ ପୈଠ, ଫଣ୍ଡ ଟ୍ରାନ୍ସଫର ଇତ୍ୟାଦି ସୁବିଧା ମଧ୍ୟ ଉପଲବ୍ଧ ଅଛି । ଶୀତ ଋତୁ ସମୟରେ ଯେତେବେଳ ତାପମାତ୍ରା ଶୂନ ଡିଗ୍ରୀରୁ କମ୍ ହୋଇଯାଏ, ସେହି ସମୟରେ ଏହି ଏଟିଏମର ବିଶେଷ ଯତ୍ନ ନେବାକୁ ପଡିଥାଏ । ତେବେ ଏଟିଏମରୁ ୧୫ ଦିନରେ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କା ଉଠାଯାଇଥାଏ ।