fbpx

ଆଜି ଠାରୁ ମାଟ୍ରିକ ପରୀକ୍ଷା,ପିଲାଙ୍କୁ ଜଗିବ ସିସିଟିଭି

କଟକ/ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ଥର ମୋଟ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ପରୀକ୍ଷା ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ କହିଛନ୍ତି ଯେ, ସବୁ ପରୀକ୍ଷା କେନ୍ଦ୍ରର ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏହା ସହ କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପରୀକ୍ଷା ପାଇଁ ନୋଡାଲ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ରାଜ୍ୟର ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୨୨ଟି ପୋଲିସ ଷ୍ଟେସନରେ ବ୍ୟବସ୍ଥା କରାଯାଇଛି।ଏହି ୨୨ଟି ଷ୍ଟେସନକୁ ମିଶାଇ ମୋଟ ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବା ପରେ ସେଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍ଗୁ ଡ଼ିକରେ ରଖାଯାଇଛି । ପ୍ରତିଦିନ ସକାଳେ ପୋଲିସ ସୁରକ୍ଷା ସହ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠା ଯିବାର ବ୍ୟବସ୍ଥା କରାଯାଇଛି । ମାଓ ଅଧ୍ୟୁଷିତ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିର ୧୦ଟି ଥାନାରେ ନୋଡ଼ାଲ ସେଣ୍ଟର କରାଯାଇଛି ।

ବର୍ତ୍ତମାନ ରାଜ୍ୟର ତାତିର ମାତ୍ରା ବୃଦ୍ଧି ପାଇଥିବାରୁ ଖରା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀମାନେ ସକାଳ ୭ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି । ପରୀକ୍ଷାର୍ଥୀମାନେ କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍ କାର୍ଡ, ବ୍ଲୁ ଓ ବ୍ଲାକ୍ ପେନ୍, ପେନ୍ସିଲ ଓ ଜେମୋଟ୍ରି ବକ୍ସ ଛଡ଼ା ଅନ୍ୟ କୌଣସି ସାମଗ୍ରୀ ନେଇ ପାରିବେ ନାହିଁ ।

ସେହିପରି ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ମୋବାଇଲ ସୁଇଚ୍ ଅଫ୍ କରି ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବେ । କପି ରୋକିବା ପାଇଁ ୫୭ଟି କେନ୍ଦ୍ରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି । ଯେଉଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମ୍ମେଟିଭ୍୧ ପରୀକ୍ଷା କରାଯାଇଥିଲା, ସେହିସବୁ କେନ୍ଦ୍ରଗୁଡ଼ିକରେ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.