ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛି ଭାରତ । ଜୁନ୍ ୭ ତାରିଖରେ ଏହି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ ଇଣ୍ଡିଆ । ସେପଟେ ଅହମ୍ମଦାବାଦ ଟେଷ୍ଟ ଡ୍ର ରହିବାରୁ ରୋହିତ ସେନା ଏହି ସିରିଜକୁ ୨-୧ରେ ବିଜୟଲାଭ କରିଛି । ତେବେ ଫାଇନାଲରେ ପ୍ରବେଶ ପରେ ବର୍ତ୍ତମାନ ଏହି ମ୍ୟାଚକୁ ନେଇ ଆରମ୍ଭ ହୋଇଛି ପ୍ଲାନିଙ୍ଗ । ଫାଇନାଲ ଜିତିବା ପାଇଁ ଏକ ନୂଆ ମନ୍ତ୍ର ଦେଇଛନ୍ତି ଭାରତର ପୂର୍ବତନ କୋଚ୍ ସଞ୍ଜୟ ବାଙ୍ଗର । ଏଥିପାଇଁ ସେ ଫାଇନାଲର ଶ୍ରେଷ୍ଠ ଏକାଦଶ ମଧ୍ୟ ଚୟନ କରିଛନ୍ତି । କିନ୍ତୁଏଥିରେ ସ୍ଥାନ ପାଇନାହାନ୍ତି ଦଳର ୨ ଷ୍ଟାର ଅଲରାଉଣ୍ଡର ।
ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଭାରତର ଦୁଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କୁ ଦଳରୁ ବାଦ୍ ଦେଇଛନ୍ତି ପୂର୍ବତନ କୋଚ୍ ସଞ୍ଜୟ ବାଙ୍ଗର । ତାଙ୍କର ଏହି ନିଷ୍ପତ୍ତି ବର୍ତ୍ତମାନ ସମଗ୍ର କ୍ରିକେଟ ଫ୍ୟାନ୍ସଙ୍କୁ ଚକିତ କରି ଦେଇଛି । ଫାଇନାଲ ମ୍ୟାଚରେ ଜାଡେଜା ଏବଂ ଅକ୍ସରଙ୍କୁ ସେ ନିଜ ଦଳରେ ସାମିଲ କରିନାହାନ୍ତି । ତାଙ୍କ ସ୍ଥାନରେ ଦୁଇ ଜଣ ଫାଷ୍ଟ ବୋଲରଙ୍କୁ ଦଳରେ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ସଞ୍ଜୟ । ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜ ଦଳର ପ୍ରମୁଖ ବୋଲର ଭାବେ ଦାୟିତ୍ୱ ନେବା ସହ ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ଦିଆଯିବା ଉଚିତ । ଏହା ବ୍ୟତୀତ ଭାରତର ଅଲରାଉଣ୍ଡର ଶାର୍ଦ୍ଦଳ ଠାକୁରଙ୍କୁ ଚତୁର୍ଥ ଦ୍ରୁତ ବୋଲର ଭାବରେ ଦଳରେ ସୁଯୋଗ ଦେବା ପାଇଁ ସେ କହିଛନ୍ତି । ଫାଷ୍ଟ ବୋଲିଙ୍ଗ ସହ ବ୍ୟାଟରେ ମଧ୍ୟ ସେ କମାଲ କରିପାରିବେ ବୋଲି ସଞ୍ଜୟ ଆଶା ରକିଛନ୍ତି । ଅଷ୍ୟ୍ରେଲିଆ ଏବଂ ଇଂଲଣ୍ଡରେ ଶାର୍ଦ୍ଦୁଳଙ୍କ ପ୍ରଦର୍ଶନ ଉଚ୍ଚ କୋଟୀର ରହିଛି ।
ସେହିପରି ଅଶ୍ୱୀନଙ୍କ ପ୍ରଦର୍ଶନକୁ ନଜରରେ ରଖି ତାଙ୍କୁ ଦଳରେ ରଖାଯିବା ନିଶ୍ଚୟ । ତେବେ ଓପନିଙ୍ଗ ପାଇଁ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କୁ ବାଛିଛନ୍ତି ସଞ୍ଜୟ । ପରେ ୩ ନମ୍ବରରେ ଚେତେଶ୍ୱର ପୂଜାରା ଏବଂ ଚତୁର୍ଥରେ ବିରାଟ କୋହଲିଙ୍କୁ ଏହି ଦଳରେ ସାମିଲ କରାଯାଇଛି । ତେବେ ଶ୍ରେୟସ ଅୟର ଆହତ ହୋଇଥିବାରୁ ତାଙ୍କ ସ୍ଥାନ କାଲି ପଡିଛି । ତେବେ ଏହି ପୋଜିସନରେ ଖେଳିବା ପାଇଁ ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ ଦାବିଦାର ହୋଇଥିବା ବେଳେ ସରଫରାଜ ଖାନ ଘରୋଇ କ୍ରିକେଟରେ ଖୁବ ରନ ବର୍ଷା କରିଛନ୍ତି । ୱିକେଟ କିପର ଭାବରେ ସଞ୍ଜୟଙ୍କର ପ୍ରଥମ ପସନ୍ଦ ହୋଇଛନ୍ତି କେ.ଏସ ଭରତ ।
ଅଷ୍ଟ୍ରେଲିଆ ବିପକ୍ଷ ଏହି ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ଏହି ଦୁଇ ଅଲରାଉଣ୍ଡର । ଜାହେୟଡଜା ଏହି ସିରିଜରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲ କରିଥିବା ବେଳେ ଅକ୍ସର ପଟେଲ ନିଜ ବ୍ୟାଟରେ କମାଲ ଦେଖାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଏହି ୪ଟି ଟେଷ୍ଟରୁ ଜାଡେଜା ମୋଟ ୨୨ଟି ୱିକେଟ ଅକ୍ତିଆର କରିଛନ୍ତି । ସେପଟେ ଅକ୍ସର ପଟେଲ ୩ଟି ଅର୍ଦ୍ଧଶତକ ସହ ୨୬୪ ରନ୍ ହାସଲ କରିଛନ୍ତି । ତେବେ ଭାରତୀୟ ଟିମ ଏହି ରଣନୀତି ଅନୁସାରେ ଟିମ ଚୟନ କରିବ ନା ଜାଡେଜା, ଅକ୍ସର ଦଳରେ ସାମିଲ ରହିବେ ତାହା ଦେଖିବାକୁ ବାକି ରହିଲା ।