fbpx

ସରକାରୀ କର୍ମଚାରୀଙ୍କୁ ଏକ ବଡ ଝଟକା ; ମିଳିବନି ୧୮ ମାସର ମହଙ୍ଗା ଭତ୍ତା , ଡିଏ ଉପରେ ସରକାରଙ୍କ ବିବୃତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ଅଟକାଯାଇଥିବା ମହଙ୍ଗା ଭତ୍ତା (ଡିଏ) ବକେୟା ସମ୍ପର୍କରେ ଏକ ବଡ ଅପଡେଟ୍ ଆସିଛି। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ସ୍ପଷ୍ଟ ଭାବରେ କୁହାଯାଇଛି ଯେ ସେମାନଙ୍କର ୧୮ ମାସର ବକେୟା ଡିଏ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯିବ ନାହିଁ।

ଲୋକସଭାର ପ୍ରଶ୍ନ କାଳରେ ଉତ୍ତର ରଖି ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ସ୍ପଷ୍ଟ କହିଛନ୍ତି ଯେ, ଡିଏ ଦେବାକୁ କୌଣସି ଯୋଜନା ନାହିଁ । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭବିଷ୍ୟତରେ ଏହି ୧୮ ମାସର ବକେୟା ଡିଏ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯିବନାହିଁ ।

ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜାନୁୟାରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ ରେ ଦିଆଯାଇଥିବା ମହଙ୍ଗା ଭତ୍ତା ପ୍ରଦାନ ନକରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ଯୋଗୁଁ ହୋଇଥିବା ଆର୍ଥିକ କ୍ଷତି ହେତୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଯୋଗୁଁ ସରକାର ସରକାରୀ ରାଜକୋଷରେ ୩୪,୪୦୨.୩୨ କୋଟି ଟଙ୍କା ସଞ୍ଚୟ ରହିଛି । ସେ କହିଛନ୍ତି ଯେ ଡିଏ ଦେୟ ନଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ମହାମାରୀ ସମୟରେ ହୋଇଥିବା ଆର୍ଥିକ କ୍ଷତି ହ୍ରାସ କରିବାରେ ବହୁତ ସାହାଯ୍ୟ କରିଛି।

ପଙ୍କଜ ଚୌଧୁରୀଙ୍କ ଅନୁଯାୟୀ, ମହାମାରୀ ସମୟରେ ସରକାର କଲ୍ୟାଣକାରୀ ଯୋଜନା ପାଇଁ ବହୁ ଅର୍ଥ ଯୋଗାଇ ଦେବାକୁ ପଡୁଥିଲା। ଏହାର ପ୍ରଭାବ ୨୦୨୦-୨୧ ରେ ମଧ୍ୟ ଦେଖାଯାଇଥିଲା । ଏଭଳି ପରିସ୍ଥିତିରେ, କେନ୍ଦ୍ରୀୟ କର୍ମଚାରୀଙ୍କ ବକେୟା ଭତ୍ତା ପ୍ରଦାନ କରିବା ଉଚିତ୍ ମଣୁନାହୁଁ । ଦେଶରେ କୋଭିଡ -୧୯ ମହାମାରୀ ସମୟରେ ସରକାର କର୍ମଚାରୀଙ୍କ ଡିଏ କୁ ଅଟକ ରଖିଥିଲେ। ଯେତେବେଳେ କରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ସମସ୍ତ ପ୍ରତିବନ୍ଧକ ହଟାଗଲା, କର୍ମଚାରୀମାନେ ସେମାନଙ୍କର ବକେୟା ପରିମାଣ ଫେରସ୍ତ କରିବେ ବୋଲି ଆଶା କରାଯାଉଥିଲା । କର୍ମଚାରୀମାନେ ଦୀର୍ଘ ଦିନ ଧରି ସେମାନଙ୍କର ଧାର‌୍ୟ୍ୟ ମହଙ୍ଗା ଭତ୍ତା ପାଇବାକୁ ଅପେକ୍ଷା କରିଥିଲେ ।

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ପ୍ରତି ଛଅ ମାସରେ ବଦଳାଯାଏ । ଗତ ବର୍ଷ ସେପ୍ଟେମ୍ବର ୨୦୨୨ ରେ ମୋଦୀ ସରକାର କର୍ମଚାରୀମାନଙ୍କୁ ୪% ବୃଦ୍ଧି କରି ଡିଏ ପ୍ରଦାନ କରିଥିଲେ। ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଡିଏ ବୃଦ୍ଧି ପରେ ଆଶା କରାଯାଉଥିଲା ଯେ କରୋନା ଅବଧି ମଧ୍ୟରେ ବକେୟା ଡିଏ ଉପରେ ସରକାର ଖୁବ ଶୀଘ୍ର ସହମତ ହେବେ ଏବଂ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ବକେୟା ଡିଏ ଦେବାକୁ ମନା କରିବାକୁ ସରକାରଙ୍କ ନିଷ୍ପତ୍ତି ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ଝଟକା ଲାଗିଛି ।

Get real time updates directly on you device, subscribe now.