ପୁରୁଷମାନେ ମଧ୍ୟ ହେଉଛନ୍ତି ଘରୋଇ ହିଂସାର ଶିକାର ; ରାଷ୍ଟ୍ରୀୟ ପୁରୁଷଙ୍କ ଆୟୋଗ ଗଠନ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଖାଲି ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ତାହା ନୁହେଁ । ପୁରୁମାନେ ମଧ୍ୟ ଘରୋଇ ହିଂସାର ଶିକାର ହେଉଛନ୍ତି । ଏନେଇ ବିବାହିତ ପୁରୁଷମାନଙ୍କ ଆତ୍ମହତ୍ୟା କରୁଛନ୍ତି ବୋଲି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହାର ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଏବଂ ‘ କମିଶନ ଫର ମେନ୍’ ଗଠନ ପାଇଁ ଅନୁରୋଧ କରାଯାଇଛି ।

ଆଡଭୋକେଟ ମହେଶ କୁମାର ତିୱାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ୨୦୨୧ ମସିହାରେ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସମ୍ପର୍କରେ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଦର୍ଶାଯାଇଛି ଯେଉଁଥିରେ କୁହାଯାଇଛି ଯେ ସେହି ବର୍ଷ ସାରା ଦେଶରେ ୧,୬୪,୦୩୩ ଲୋକ ଆତ୍ମହତ୍ୟା କରିଥିଲେ।
ଆବେଦନରେ ଦର୍ଶାଯାଇଛି ଯେ ଏଥିମଧ୍ୟରୁ ଆତ୍ମହତ୍ୟା କରିଥିବା ବିବାହିତ ପୁରୁଷଙ୍କ ସଂଖ୍ୟା ୮୧,୦୬୩ ଥିବାବେଳେ ୨୮,୬୮୦ ଜଣ ବିବାହିତ ପୁରୁଷ ଥିଲେ। ଏନସିଆରବି ତଥ୍ୟକୁ ଦର୍ଶାଇ ଏହି ଆବେଦନପତ୍ରରେ କୁହାଯାଇଛି ଯେ ୨୦୨୧ ମସିହାରେ ପ୍ରାୟ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ଏବଂ ୪.୮ ପ୍ରତିଶତ ବିବାହ କାରଣରୁ ଜୀବନ ଶେଷ କରିଥିଲେ।

ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗ ତଥା ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗକୁ ମଧ୍ୟ ଏକ ଆବେଦନ କରାଯାଇଛି। ଘରୋଇ ହିଂସା ପୀଡିତ ପୁରୁଷଙ୍କ ଅଭିଯୋଗକୁ ତୁରନ୍ତ ଗ୍ରହଣ କରିବାକୁ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରରେ ଅନୁରୋଧ କରାଯାଇଛି।