fbpx

ଲୋକସଭା ନିର୍ବାଚନ ପୁର୍ବରୁ ବିରୋଧୀ ମେଳି ପାଇଁ ପ୍ରୟାସ: ଆଜି ମମତା-ଅଖିଳେଶ ବୈଠକ, ମାର୍ଚ୍ଚ ୨୧ରେ ନବୀନଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ପୂରା ଭାରତରେ ରାଜନୀତି ସରଗରମ ହେବାକୁ ଲାଗିଲାଣି। ବିରୋଧୀ ମାନେ ବିଜେପି ବିରୋଧରେ ଏକଜୁଟ୍ ହେବାକୁ ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷିରେ ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି କୋଲକାତାରେ ତୃଣମୁଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି।

ପଶ୍ଚିମବଙ୍ଗରେ ପାର୍ଟିର କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବାକୁ ଅଖିଳେଶ କୋଲକାତା ଆସିଛନ୍ତି। ମମତାଙ୍କ ସହିତ ତାଙ୍କର ଏହି ବୈଠକକୁ ବେଶ୍ ଗୁରୁତ୍ୱପୁର୍ଣ୍ଣ କୁହାଯାଉଛି। କାରଣ ମାର୍ଚ୍ଚ ୨୧ରେ ମମତା ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୧ ମାର୍ଚ୍ଚରେ ମମତା ବାନାର୍ଜୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ପାରନ୍ତି।

ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୧ ମାର୍ଚ୍ଚରେ ଦୁଇ ଦିନିଆ ଓଡିଶା ଗସ୍ତରେ ଯାଉଛନ୍ତି। ଏହି ଗସ୍ତର ପ୍ରଥମ ଦିନରେ ଭୁବନେଶ୍ୱରରେ ରହିବେ। ପରଦିନ ଅର୍ଥାତ୍ ମାର୍ଚ୍ଚ ୨୨ ରେ ସେ ପୁରୀର ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହି ଗସ୍ତ ସମୟରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟି ପାରିବେ। କାରଣ ନବୀନଙ୍କ ସହ ମମତା ବାନାର୍ଜୀଙ୍କ ସମ୍ପର୍କ ପୁରୁଣା। ଏହା ସହିତ ମାର୍ଚ୍ଚ ୨୩ ରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି। ସେହିପରି ଲୋକସଭା ନିର୍ବାଚନ ସମୟରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ରହିଛି।

ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ନବୀନ ରାଜନୈତିକ ଦୃଷ୍ଟିରୁ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବା ସପକ୍ଷରେ ଅଛନ୍ତି। ଯଦିଓ ବିଜେଡି ବିଭିନ୍ନ ଜାତୀୟ ପ୍ରସଙ୍ଗରେ ବିଜେପି ସହ ଅଛନ୍ତି। ତେବେ ନିକଟରେ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ବିଜେପି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି। ନିକଟରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

Get real time updates directly on you device, subscribe now.